ବଚ୍ଚନ ଦମ୍ପତି ଆଶ୍ୱସ୍ତ

ମୁମ୍ବାଇ,୨୪ ।୨: ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କୁ ତାଙ୍କ ଘର ‘ପ୍ରତିକ୍ଷା’ ମାମଲାରେ ବମ୍ବେ ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି । ବମ୍ବେ ହାଇକୋର୍ଟ ବୃହାନମୁମ୍ବାଇ ମହାନଗର ପାଳିକା (ବିଏମସି)କୁ ନିର୍ଦ୍ଦେଶ ଦେଇଛନ୍ତି କି ଅମିତାଭ ବଚ୍ଚନ ଓ ଜୟା ବଚଚନଙ୍କ ବିରୋଧରେ ୩ ସପ୍ତାହ ପର୍ଯ୍ୟନ୍ତ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍‌ାନ ନିଆଯିବ ନାହିଁ । ଏହାସହ କୋର୍ଟ ବଚ୍ଚନ ଦମ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ତାଙ୍କର ଜୁହୁସ୍ଥିତ ଘର ‘ପ୍ରତିକ୍ଷା’ର ଏକ ଅଂଶ ହାସଲ କରିବା ପାଇଁ ଜାରି କରାଯାଇଥିବା ନୋଟିସ ବିରୋଧରେ ସେମାନେ ବିଏମସିରେ ପ୍ରତିନିଧିତ୍ୱ କରିବାକୁ ଏକ ଆବେଦନ କରନ୍ତୁ ।

ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ନୋଟିସକୁ ଚ୍ୟାଲେଞ୍ଜ କରି ଚଳିତ ସପ୍ତାହ ଆରମ୍ଭରେ ବଚ୍ଚନ ଦମ୍ପତି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ଆରଡି ଧନୁକା ଓ ଜଷ୍ଟିସ ଏସଏମ ମୋଦକଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠ ବଚ୍ଚନ ଦମ୍ପତିଙ୍କୁ ଦୁଇ ସପ୍ତାହ ମଧ୍ୟରେ ବିଏମସିରେ ପ୍ରତିନିଧିତ୍ୱ କରିବାକୁ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେବେ ଏହି ଆବେଦନ ଦାଖଲ ହେବ ବିଏମସି ୬ ସପ୍ତାହ ପରେ ଏହା ଉପରେ ଶୁଣାଣି କରିବାକୁ ନିଷ୍ପତି ନେବ । ଏହି ନିଷ୍ପତି ନିଆଯିବା ପରେ ଆବେଦନକାରୀଙ୍କ ବିରୋଧରେ ୩ ସପ୍ତାହ ପର୍ଯ୍ୟନ୍ତ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।

Share