ଖେଳିବାକୁ ଯାଇଥିବା ବେଳେ ଫୁଟିଲା ବୋମା:୩ ନାବାଳିକା ଗୁରୁତର

ଭଦ୍ରକ ଅଫିସ/ବନ୍ତ,୨୮।୩(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଟିଲୋ ତ୍ରିକୋଣା ଛକସ୍ଥିତ ଇଟା ଫ୍ୟାକ୍ଟ୍ରି ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ସୋମବାର ଅପରାହ୍ନରେ ବୋମା ଫୁଟି ୩ ନାବାଳିକା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ୩ ନାବାଳିକାଙ୍କ ମଧ୍ୟରେ ଦୁଇଭଉଣୀ ଅଛନ୍ତି। ସେମାନେ ହେଲେ ଦେବତାଗଢ଼ିଆ ଗ୍ରାମର ଦୁଇ ଭଉଣୀ ଦୁର୍ଗା ହାଁସଦା(୧୨), ବାସନ୍ତୀ ହାଁସଦା(୮) ଓ ସବିତା ମୁର୍ମୁ(୯)। ନିର୍ବାଚନ ସମୟରେ ହିଂସାକାଣ୍ଡ ଭିଆଇବା ଉଦ୍ଦେଶ୍ୟରେ କେହି ଏହି ବୋମା ବ୍ୟାଗ୍‌ରେ ରଖିଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବନ୍ତ ଥାନା ଆଇଆଇସି ଆଦିତ୍ୟ ପ୍ରସାଦ ଜେନା କହିଛନ୍ତି।
୩ ନାବାଳିକା ତ୍ରିକୋଣା ଇଟାଭାଟି ନିକଟକୁ ଖେଳିବାକୁ ଯାଇଥିବା ବେଳେ ପୋଖରୀ ସ୍ଥିତ ବୁଦାମୂଳେ ଏକ ବ୍ୟାଗ୍‌ ପଡିଥିବା ଦେଖିବାକୁ ପାଇଥିଲେ। ପିଲାମାନେ ଉତ୍ସୁକତାର ସହ ବ୍ୟାଗ୍‌ ଖୋଲିବାରୁ ସେଥିରେ ଥିବା ୩ଟି ବୋମା ମଧ୍ୟରୁ ଗୋଟିଏ ବୋମା ଫୁଟିଥିଲା। ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚତ୍ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଘଟଣାସ୍ଥଳରୁ ଆଉ ୨ ଅଫୁଟା ବୋମାକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।