ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼: ଆନ୍ଧ୍ରପ୍ରଦେଶରୁ ଗିରଫ ହେଲେ ଅଭିଯୁକ୍ତ

ଗୋପାଳପୁର,୨୭ା୧(ଡି.ଏନ.ଏ.) ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ପିତାତଳି ଗ୍ରାମରେ ଗତ ରବିବାର ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ ହୋଇଥିଲା। ଏହି ମାମଲାରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପିତାତଳି ଗ୍ରାମର ପି.ଜାନକୀ ରାଓ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଚମ୍ପଟ ମାରିଛନ୍ତି।

ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଅଞ୍ଚଳରୁ ପୋଲିସ ଜାନକୀଙ୍କୁ ଧରିବାରେ ସଫଳ ହୋଇଥିଲା। ଏନେଇ ପୋଲିସ ଏକ ମାମଳା(ନଂ. ୩୭/୨୩) ରୁଜୁ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଉଭୟ ଗୋଷ୍ଠୀର ମୁଖ୍ୟ ରାଙ୍ଗା ରାଓ ଓ ନରସିଂହ ମୂର୍ତ୍ତି ଗିରଫ ହୋଇ ନ ଥିବା ବେଳେ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସୂଚନାଥାଉକି, ପିତାତଳି ଗ୍ରାମରେ ରାଙ୍ଗାରାଓ ଓ ନରସିଂହ ମୂର୍ତ୍ତି ଗୋଷ୍ଠୀ ମଧ୍ୟରେ ରାଜନୈତିକ ଓ ପୂର୍ବ ଶତ୍ରୁତାରୁ ବିବାଦ ଲାଗି ରହିଥିଲା। ଗତ ରବିବାର ୨ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ରେ ୩ ଆହତ ହୋଇଥିବା ବେଳେ ଉଭୟ ଗୋଷ୍ଠୀ ପକ୍ଷରୁ ଗୋଳନ୍ଥରା ଥାନାରେ ୪ଟି ମାମଲା ରୁଜୁ ହୋଇଛି। ପୂର୍ବ ଦୁଇଟି ମାମଲାରେ ପୋଲିସ ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଗ୍ରାମରେ ଏକ ପ୍ଲାଟୁନ ଫୋର୍ସ ମୂତୟନ ହୋଇଛନ୍ତି।