ବଲିଉଡ୍‌ ଗାୟକ ସୌରିନ୍‌ ଭଟ୍ଟଙ୍କ ନାଁରେ ଯୌନ ନିର୍ଯାତନା ମାମଲା

କଟକ,୨୩ା୬ (କାର୍ତ୍ତିକ ସାହୁ): ବଲିଉଡ୍‌ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କୁ ନ ପାଇ କୋଲକାତାସ୍ଥିତ ତାଙ୍କ ଘରୁ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି କମିଶନରେଟ୍‌ ପୋଲିସ। ଜଣେ ଓଡ଼ିଆ ଗାୟିକାଙ୍କ ଅଭିଯୋଗ ଆଧାରରେ କଟକ ମହିଳା ଥାନା ପୋଲିସ ମାମଲା ରୁଜୁ କରିବା ପରେ ସୌରିନଙ୍କୁ ଆଣିବା ପାଇଁ କୋଲକାତାସ୍ଥିତ ତାଙ୍କ ଘରେ ବୁଧବାର ରାତିରେ ଚଢ଼ାଉ କରିଥିଲା। ହେଲେ ସେଠାରେ ସେ ନ ଥିଲେ। ସେ ଏବେ ଦିଲ୍ଲୀରେ ଅଛନ୍ତି ବୋଲି ତାଙ୍କ ପରିବାର ଲୋକେ କହିଥିଲେ। ଏଥିସହ ସୌରିନ୍‌ଙ୍କ ପରିବାର ଲୋକେ ଯୁବତୀ ଜଣଙ୍କ ସୌରିନଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ପାଲଟା ଅଭିଯୋଗ ଆଣିଥିବା ପୋଲିସ କହିଛି॥ ସୂଚନାଯୋଗ୍ୟ, ବ୍ୟାଙ୍କ କର୍ମଚାରୀ ଭାବେ ବୃତ୍ତିଗତ ଜୀବନ ଜିଉଁଥିବା ଜଣେ ଓଡ଼ିଆ ଗାୟିକାଙ୍କୁ ସୌରିନ୍‌ ଯୌନ ଶୋଷଣ ଓ ନିର୍ଯାତନା ଦେଇଆସୁଥିଲେ ବୋଲି ସମ୍ପୃକ୍ତ ଯୁବତୀ ମହିଳା ଥାନାରେ ଏତଲା ଦେଇଥିଲେ। ସୌରିନ୍‌ ସମ୍ପୃକ୍ତା ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସୌରିନ୍‌ ବିବାହିତ ଓ ତାଙ୍କର ଏକ ଝିଅ ଅଛନ୍ତି ବୋଲି ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ। ସେ ତାଙ୍କଠାରୁ ଦୂରେଇବାରେ ତାଙ୍କର ନଗ୍ନ ଫଟୋ ଓ ଭିଡିଓ ଦେଖାଇ ସୌରିନ୍‌ ତାଙ୍କୁ ବ୍ଲାକ୍‌ମେଲ୍‌ ସହ ଯୌନ ଶୋଷଣ କରୁଥିଲେ। ଯୁବତୀ ବିରୋଧ କଲେ ତାଙ୍କୁ ମାଡ଼ ମଧ୍ୟ ମାରୁଥିଲେ। ଏପରି କି ଯୁବତୀ ଜଣଙ୍କୁ ସେ ଜଗତପୁର ନିକଟରେ କାର୍‌ରୁ ଠେଲି ମାରିଦେବାକୁ ଉଦ୍ୟମ କରିଥିଲେ। ମହିଳା ଥାନା ପୋଲିସ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରାଇବା ପରେ ସୌରିନ୍‌ଙ୍କୁ ଥାନାରେ ହାଜର ହେବା ପାଇଁ କୁହାଯାଇଥିଲା। ହେଲେ ସେ ଥାନାକୁ ନ ଆସିବାରୁ ପୋଲିସ ପକ୍ଷରୁ କୋଲକାତାସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରିବାକୁ ପଦକ୍ଷେପ ନିଆଯାଇଥିଲା। ଜଣେ ମହିଳା ଏସ୍‌ଆଇଙ୍କ ନେତୃତ୍ୱରେ ୫ ଜଣିଆ ପୋଲିସ ଟିମ୍‌ ଏଥିରେ ସାମିଲ ହୋଇଥିଲେ। କୋଲକାତା ପୋଲିସ ସହାୟତାରେ ଏହି ଚଢ଼ାଉ କରାଯାଇଥିଲା। ଅନ୍ୟପକ୍ଷରେ ଗିରଫ ଭୟରେ ସୌରିନ୍‌ ଫେରାର ଥିବା କୁହାଯାଉଛି।