ସାତ ଜନ୍ମର କଥା ଦେଇ, କେଇ ମାସରେ ଅଲଗା ହୋଇଯାଇଥିଲେ ଏସବୁ କଳାକାର ଦମ୍ପତି

ବମ୍ବେ: କଥା ଥିଲା ସାତ ଜନ୍ମର। ହେଲେ କିଛି ଦିନରେ ହିଁ ଭାଙ୍ଗିଗଲା ସମ୍ପର୍କ। ନିକଟରେ ବୋଲ୍ଡ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ମାତ୍ର ଚଉଦ ଦିନ ପରେ ନିଜ ବିବାହ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସ୍ବାମୀ ସାମ୍‌ ବମ୍ବେ ମାରପିଟ୍‌ କରିଥିବାରୁ ସେ ଆଉ ବିବାହ ବନ୍ଧନରେ ରହିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି। ଅପରପକ୍ଷେ ଏହା ପ୍ରଥମ ଥର ନୁହେଁ ଯେଉଁଠି ଏତେ କମ୍‌ ଦିନରେ କେଉଁ ଅଭିନେତ୍ରୀଙ୍କ ବିବାହ ଭାଙ୍ଗିଛି। କାରଣ ଏହି ତାଲିକା ବେଶ୍‌ ଲମ୍ବା।

ସାରା ଖାନ୍‌ ଏବଂ ଅଲୀ ମର୍ଚାଣ୍ଟ:
ଅଭିନେତ୍ରୀ ସାରା ଖାନ୍‌ ଏବଂ ଅଲୀ ବିଗ୍‌ବସ୍‌-୪ ଘରେ ଉଭୟଙ୍କୁ ଭେଟିଥିଲେ। ସେଠାରେ ହିଁ ସେମାନଙ୍କ ବିବାହ ହୋଇଥିଲା। ୨୦୧୦ରେ ବିବାହ ପରେ ୨୦୧୧ରେ ଉଭୟ ଅଲଗା ହୋଇଯାଇଥିଲେ।

ମନିଷା କୋଇରାଲା-ସମ୍ରାଟ ଦହାଲ:
୨୦୧୦ରେ ମନିଷା ସମ୍ରାଟଙ୍କୁ ବିବାହ କରିଥିଲେ। ନେପାଳରେ ଉଭୟଙ୍କ ବିବାହ ହୋଇଥିଲା। ହେଲେ ବିବାହର କିଛି ମାସ ପରେ ଉଭୟଙ୍କ ଭିତରେ ମନୋମାଳିନ୍ୟ ନେଇ ଖବର ଶୁଣିବାକୁ ମିଳିଥିଲା। ଦୁଇ ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ।

କରନ୍‌ ସିଂ ଗ୍ରୋଭର-ଶ୍ରଦ୍ଧା ନିଗମ:
ଟେଲି ପରଦାର ସୁପରଷ୍ଟାର କୁହାଯାଉଥିବା କରନ୍‌ ସିଂ ଗ୍ରୋଭର ଦୁଇଟି ବିବାହ କରିଛନ୍ତି। ବିପାଶାଙ୍କୁ ବିବାହ କରିବା ପୂର୍ବରୁ ସେ ଦୁଇଜଣ ଅଭିନେତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପ୍ରଥମେ କିନ୍ତୁ ସେ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ। ମାତ୍ର ୧୦ ମାସ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କରନ୍‌ଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଯୋଗୁ ଏଭଳି ହୋଇଥିବା କୁହାଯାଇଥିଲା। ଶେଷରେ ସେମାନେ ଅଲଗା ହୋଇଯାଇଥିଲେ।

କିଶୋର କୁମାର-ୟୋଗିତା ବାଲି:
ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ପ୍ରେମ ଜୀବନ ଚକିତ କରିଦେଲା ଭଳି। ସେ ତିନୋଟି ବିବାହ କରିଥିଲେ। ସେଥିରୁ ତୃତୀୟ ସ୍ତ୍ରୀଙ୍କ ନାମ ଥିଲା ୟୋଗିତା। ହେଲେ ସେମାନଙ୍କ ବିବାହ ମାତ୍ର ୨ ବର୍ଷ ଚାଲିଥିଲା। କାରଣ ୟୋଗିତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରେମରେ ପଡ଼ିଯାଇଥିଲେ। କିଶୋରଙ୍କଠାରୁ ଅଲଗା ହୋଇ ଉଭୟ ବିବାହ କରିନେଇଥିଲେ।

ପୁଲକିତ ସମ୍ରାଟ-ଶ୍ୱେତା ରୋହିରା:
୨୦୧୪ ମସିହାରେ ପୁଲକିତ ସମ୍ରାଟ ଶ୍ୱେତା ରୋହିରାଙ୍କୁ ବିବାହ କରିଥିଲେ। ହେଲେ ୧୧ ମାସ ପରେ ଉଭୟ ଅଲଗା ହୋଇଯାଇଥିଲେ।

Share