ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ ପୂଜା: ୪୪ ବର୍ଷରେ ବି ଅଛନ୍ତି ଫିଟ୍‌

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପୂଜା ବତ୍ରା। ଆଜି ଅର୍ଥାତ୍‌ ଅକ୍ଟୋବର ୨୭ ହେଉଛି ପୂଜାଙ୍କ ଜନ୍ମଦିନ। ୧୯୭୬ ମସିହାରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ପୂଜା ଏବେ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି ସତ, ହେଲେ ଏକଦା ତାଙ୍କୁ ବଲିଉଡ୍‌ର ପ୍ରମୁଖ ଅଭିନେତ୍ରୀଙ୍କ ମଧ୍ୟରେ ଗଣାଯାଉଥିଲା। ସେ ବଲିଉଡ୍‌ରେ ଅନେକ ସଫଳ କଳାକାରଙ୍କ ସହ କାମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଗ୍ରାଜୁଏଶନ ପାଠପଢ଼ା ଶେଷ କରିବା ପରେ ପୂଜା ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ। ଭାରତର ପ୍ରସିଦ୍ଧ ମଡେଲମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ପୂଜା। ୧୯୯୩ ମସିହାରେ ସେ ଫେମିନା ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମୁକୁଟ ପିନ୍ଧିଥିଲେ। ସେ ହେଉଛନ୍ତି ଆମେରିକାର ସାମ୍ପୁ ବିଜ୍ଞାପନ ‘ହେଡ୍‌ ଆଣ୍ଡ ଶୋଲଡର’ର ପ୍ରଥମ ଭାରତୀୟ ଚେହେରା। ଅନେକ ସମୟ ପର୍ଯ୍ୟନ୍ତ ବିଜ୍ଞାପନରେ କାମ କରିବା ପରେ ପୂଜା ଫିଲ୍ମରେ କ୍ୟାରିୟର ଆରମ୍ଭ କଲେ। ପ୍ରଥମ ଥର ପାଇଁ ସେ ୧୯୯୭ ମସିହାରେ ଅଭିନେତା ଅନୀଲ କପୁର ଏବଂ ତବ୍‌ବୁଙ୍କ ସହ ଫିଲ୍ମ ‘ଭିରାସତ’ରେ କାମ କଲେ। ପରେ ଭାଇ, ହସିନା ମାନ୍‌ ଯାଏଗୀ, ଦିଲ୍‌ ନେ ଫିର୍‌ ୟାଦ୍‌ କିୟା, କହିଁ ପ୍ୟାର ନ ହୋ ଯାଏ ସମେତ ଅନେକ ବଲିଉଡ୍‌ ସିନେମାରେ କାମକରି ପ୍ରଂସଶକଙ୍କୁ ହୃଦୟ ଜିତିଲେ। ସେ ଅନେକ ଦକ୍ଷିଣ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ୨୦୦୨ ମସିହାରେ ପୂଜା ସର୍ଜନ ସୋନୁ ଆଲୁଓ୍ବାଲିୟାଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠିପାରି ନ ଥିଲା। ୮ ବର୍ଷ ପରେ ସୋନୁ ଏବଂ ପୂଜା ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ତେବେ ଗତ ବର୍ଷ ଜୁଲାଇ ୪ରେ ପୂଜା ଦିଲ୍ଲୀରେ ଅଭିନେତା ନବାବ ଶାହାଙ୍କୁ ଗୁପ୍ତରେ ବିବାହ କରିଥିଲେ। ସେହି ସମୟରେ ଏହି ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

 

Share