Categories: ଜାତୀୟ

ଡ୍ରଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯାଉଛି: ଜୟା

ନୂଆଦିଲ୍ଲୀ, ୧୫।୯: ଡଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯିବାର ଯୋଜନା କରାଯାଉଛି। ମନୋରଞ୍ଜନ ଶିଳ୍ପ ପ୍ରତିଦିନ ୫ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଥାଏ। ଏପରିସ୍ଥଳେ ଏହାକୁ ବଦନାମ୍‌ କରାଯିବା ଅନୁଚିତ ବୋଲି ସଂସଦର ଦ୍ୱିତୀୟ ଦିନରେ ମଙ୍ଗଳବାର ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ କହିଛନ୍ତି। ସୋସିଆଲ୍‌ ମିଡ଼ିଆରେ ଏନେଇ ବହୁ ଅପପ୍ରଚାର କରାଯାଉଛି। ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତି ଖରାପ ରହିଛି। ଏସବୁରୁ ଲୋକଙ୍କ ଧ୍ୟାନ ହଟାଇବା ଲାଗି ବଲିଉଡ୍‌କୁ ଟାର୍ଗେଟ କରାଯାଉଛି। ଏଭଳି କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ବଲିଉଡ୍‌କୁ ସରକାରଙ୍କ ସମର୍ଥନ ମିଳିପାରୁ ନ ଥବା ଜୟା ଅଭିଯୋଗ କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରୁ ପରିଚିତି ହାସଲ କରିଥିବା ଲୋକେ ଏବେ ଏହାକୁ ଆବର୍ଜନା ସ୍ଥଳ ବୋଲି କହି ଏହାର ଅପମାନ କରୁଛନ୍ତି। କାହାର ନାମ ନ ନେଇ ସେ ରବି କିଶନଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ଲୋକ ଅଧିକ ଆୟକର ମଧ୍ୟ ଦେଉଛନ୍ତି। ତେବେ ସେମାନଙ୍କ ମଧ୍ୟ ଯୋଜନାବଦ୍ଧ ଭାବେ ଟାର୍ଗେଟ କରାଯାଉଛି। ଏହା ଅତ୍ୟନ୍ତ ଦୁଃଖ ଏବଂ କ୍ଷୋଭର ବିଷୟ ବୋଲି ଜୟା କହିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଅତୀତରେ ବହୁ ପ୍ରତିଶ୍ରୁତି ଦିଆଯାଇଛି। ମାତ୍ର ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହିଯାଇଛି। ସରକାରଙ୍କ ସହାୟତା ଲାଗି ସବୁବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ଆସିଥାଏ। କିନ୍ତୁ ସରକାର ବହୁ ଲୋକଙ୍କୁ ରୋଜଗାର ଯୋଗାଉଥିବା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଣଦେଖା କରୁଛନ୍ତି। କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତିଛବିକୁ ନିର୍ମଳ କରିବା ସରକାରଙ୍କ ପ୍ରଥମ କାର୍ଯ୍ୟ ବୋଲି ଜୟା କହିଛନ୍ତି।

Share