୪୨ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା: କରୁଥିଲେ ଓ୍ବେଟର କାମ

କେତେବେଳେ ଭାଇରସ୍‌ ତ ଆଉ କେତେବେଳେ ଡକ୍ଟର ଆସ୍ଥନା ନାମରେ ଲୋକଙ୍କ ନିକଟରେ ପରିଚିତ ଅଭିନେତା ହେଉଛନ୍ତି ବୋମନ ଇରାନୀ। ୨ ଡିସେମ୍ବର, ୧୯୫୯ରେ ଜନ୍ମଗ୍ରହଣ କରିଥିବା ବୋମନଙ୍କର ଆଜି ହେଉଛି ଜନ୍ମଦିନ। ବୋମନ ୪୨ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁକରି ଖୁବ୍‌ କମ୍‌ ସମୟ ମଧ୍ୟରେ ଲୋକପ୍ରିୟ ହୋଇପାରିଛନ୍ତି। ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ସେ ଫଟୋଗ୍ରାଫିକୁ ବହୁତ ଭଲ ପାଆନ୍ତି। ସ୍କୁଲରେ ପାଠ ପଢ଼ିବା ସମୟରେ ସେ କ୍ରିକେଟ ମ୍ୟାଚ୍‌ର ଫଟୋ ଉଠାଉଥିଲେ। ଏଥିପାଇଁ ତାଙ୍କୁ କିଛି ଟଙ୍କା ମଧ୍ୟ ମିଳୁଥିଲା। ବୋମନ ପ୍ରଥମ ଥର ପାଇଁ ପୁନେରେ ଏକ ବାଇକ୍‌ ରେସ୍‌ରେ ବୃତ୍ତିଭାବେ ଫଟୋଗ୍ରାଫି କରିଥିଲେ। ଏହାପରେ ସେ ମୁମ୍ବାଇରେ ବକ୍ସିଂ ଓ୍ବାଲ୍ଡ କପ୍‌ରେ ସୁଯୋଗ ପାଇଥିଲେ।
ମୁମ୍ବାଇର ମିଠିବାଇ କଲେଜରୁ ସ୍ନାତମ ହାସଲ କରିବା ପରେ ସେ ମୁମ୍ବାଇର ହୋଟେଲ ତାଜ୍‌ରେ କାମ କରିଥିଲେ। ସେଠାରେ ସେ ୨ ବର୍ଷ ଓ୍ବେଟର ଏବଂ ରୁମ୍‌ ସେବା ଭାବେ କାମ କରିଥିଲେ। ପରେ ପରିବାର ସହ ବେକେରୀ ଦୋକାନରେ ୧୪ ବର୍ଷ କାମ କଲେ। ନିର୍ଦ୍ଦେଶକ ଶ୍ୟାମକ ଡାଭରଙ୍କୁ ଭେଟିବା ପରେ ତାଙ୍କ ଭାଗ୍ୟ ବଦଳିଯାଇଥିଲା। ଶ୍ୟାମକଙ୍କ କହିବାନୁଯାୟୀ, ବୋମନ ଥିଏଟରରେ କାମ କରିବାକୁ ଲାଗିଲେ। ତେବେ ସେ ଅଧିକାଂଶ ସମୟରେ କମେଡି ଚରିତ୍ରରେ ଅଭିନୟ କରିବାକୁ ଲାଗିଲେ। ୨୦୦୧ରେ ୨ଟି ଇଂଲିଶ ଫିଲ୍ମରେ ତାଙ୍କୁ ପ୍ରଥମେ କାମ କରିବାର ସୁଯୋଗ ମିଳିଲା। ୨୦୦୩ ମସିହାରେ ଫିଲ୍ମ ‘ମୁନ୍ନାଭାଇ ଏମ୍‌ବିବିଏସ୍‌’ରେ ପରିଚୟ ମିଳିଲା। ଇତିମଧ୍ୟରେ ସେ ୫୦ରୁ ଊର୍ଦ୍ଧ୍ୱ ସିନେମାରେ କାମ କରିସାରିଛନ୍ତି। ତାଙ୍କ ଅଭିନୀତ ସଫଳ ସିନେମା ମଧ୍ୟରେ ରହିଛି ହନିମୁନ୍‌ ଟ୍ରାଭେଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ଦୋସ୍ତାନା, ଯୁବରାଜ, ଥ୍ରୀ ଇଡିୟଟ୍‌ସ, ହମ୍‌ ତୁମ୍‌, ସଞ୍ଜୁ, ହାଉସଫୁଲ, ହାଉସଫୁଲ-୨ ଇତ୍ୟାଦି।

Share