ଏହି ଅଭିନେତାଙ୍କୁ ସୁରକ୍ଷାକର୍ମୀ ପୂରାଇ ଦେଇ ନ ଥିଲେ ଘରକୁ, ଏବେ ସେହି ଘରର ମାଲିକ

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଖିଲାଡି ହିରୋ ଅକ୍ଷୟ କୁମାର। ସେପ୍ଟେମ୍ବର ୯ରେ ଦିଲ୍ଲୀର ଚାନ୍ଦନୀ ଚୌକ୍‌ରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଅକ୍ଷୟଙ୍କର ଖେଳପ୍ରତି ଆଗ୍ରହ ରହିଥିଲା। ତେଣୁ ୧୦ମ ପାସ୍‌ କଲା ପରେ ସେ ମାର୍ଶଲ ଆର୍ଟ ଶିଖିଥିଲେ। ଏଥିରେ ସେ ବ୍ଲାକ ବେଲ୍ଟ ମଧ୍ୟ ହାସଲ କରିଛନ୍ତି। ଏହାର କିଛି ବର୍ଷ ପରେ ସେ ଦିଲ୍ଲୀରେ ଟ୍ରାଭେଲ ଏଜେଣ୍ଟ ଭାବେ କାମ କଲେ। ସେଠାରୁ କୁନ୍ଦନ ଅଳଙ୍କାର କିଣି ମୁମ୍ବାଇରେ ବିକ୍ରି ମଧ୍ୟ କରୁଥିଲେ। ଏକ ସାକ୍ଷାତକାରରେ ଅକ୍ଷୟ କହିଥିଲେ, ଜଣେ ବନ୍ଧୁଙ୍କ କଥାରେ ସେ ମଡେଲିଂ କରିବା ଆରମ୍ଭ କରିଥିଲେ। ଏକ ଫର୍ଣ୍ଣିଚର ଦୋକାନରେ ଫଟୋ ଶୁଟ୍‌ ପାଇଁ ତାଙ୍କୁ ପ୍ରଥମ ଥର ୨୧ ହଜାର ଟଙ୍କାର ଚେକ୍‌ ମିଳିଥିଲା।
ତେବେ ଅକ୍ଷୟଙ୍କ ପ୍ରକୃତ ନାମ ହେଉଛି ରାଜୀବ ଭାଟିଆ। ଏକଦା ସେ ନିଜ ନାମ ବଦଳାଇ ଅକ୍ଷୟ କୁମାର ରଖିଦେଲେ। ଏହାର ଦିନକ ପରେ ତାଙ୍କୁ ମୁଖ୍ୟ ନାୟକ ଭାବେ ଏକ ଫିଲ୍ମରେ ଅଫର ମିଳିଥିଲା। ଏକ ସାକ୍ଷାତକାରରେ ନିଜେ ଅକ୍ଷୟ ଏହା କହିଥିଲେ। ଏହି ଫିଲ୍ମ ହେଉଛି ୨୯୯୧ରେ ଆସିଥିଲା ‘ସୌଗନ୍ଧ’। ହେଲେ ପୂର୍ବରୁ ସେ ଫିଲ୍ମ ‘ଆଜ’ ରେ ଏକ ଛୋଟିଆ ଚରିତ୍ରରେ ଅଭିନୟ କରିଥିଲେ। ଆଜି ସେ ବଲିଉଡ୍‌ର ଜଣେ ବଡ କଳାକାର ହୋଇଥିଲେ ମଧ୍ୟ ମଡେଲିଂ ଦିନରେ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ଏକଦା ମୁମ୍ବାଇର ଏକ ଘର ବାହାରେ ସେ ଫଟୋଶୁଟ୍‌ କରିଥିଲେ। ମାତ୍ର ଅକ୍ଷୟ ଉକ୍ତ ଘର ଭିତରେ ଫଟୋଶୁଟ୍‌ କରିବାକୁ ଚାହୁଁଥିଲେ, ହେଲେ ଘରର ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଯିବାକୁ ଦେଇ ନ ଥିଲେ। ପରେ ଅକ୍ଷୟ ଉକ୍ତ ଘରକୁ କିଣିଥିଲେ। ଏବେ ସେ ଉକ୍ତ ଘରେ ନିଜ ସ୍ତ୍ରୀ ଟ୍ବିଙ୍କଲ ଖନ୍ନା, ପୁଅ ଆରାଭ ଏବଂ ଝିଅ ନିତାରା ସହ ରହୁଛନ୍ତି।

Share