ବଲିଉଡ୍‌ ଅଭିନେତା ବିକୁଛନ୍ତି ପରିବା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ବଲିଉଡ୍‌ରୁ ପରିବା ବିକ୍ରେତା। କରୋନା ଲୋକଙ୍କ ଜୀବନ ନେବା ସହ ଜୀବିକା ମଧ୍ୟ ବଦଳାଇ ଦେଇଛି। ପରିବାରର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି ବଲିଉଡ୍‌ରେ ଅଭିନୟ କରିଥିବା ଓଡ଼ିଆ ପୁଅ କାର୍ତ୍ତିକ ସାହୁ। ଘର କେନ୍ଦ୍ରାପଡ଼ା ଜିଲାର ଗରଦପୁର। ଦୀର୍ଘ ୧୭ବର୍ଷର ସଂଘର୍ଷମୟ ଜୀବନ ଭିତରେ ୨୦୧୪ରେ ରୋଜଗାର ଏବଂ ନିଜ ସ୍ବପ୍ନ ପୂରଣ କରିବା ପାଇଁ ସେ ମୁମ୍ବାଇ ଚାଲିଯାଇଥିଲେ। ନିଜ ସୁନ୍ଦର ସ୍ବାସ୍ଥ୍ୟ ଥିବାରୁ ବିଭିନ୍ନ ସଂସ୍ଥା ପାଇଁ ବାଉନ୍ସର ଭାବେ କାମ କରୁଥିଲେ। ଦିନେ ହଠାତ୍‌ ତାଙ୍କୁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ବଲିଉଡରେ ବିଭିନ୍ନ ଛୋଟମୋଟ ଭୂମିକାରେ ସେ ଅଭିନୟ କରୁଥିଲେ। ବିଭିନ୍ନ ଚଳଚ୍ଚିତ୍ରରେ ସେ ପୋଲିସ ଓ ଅନ୍ୟାନ୍ୟ ଭୂମିକାରେ ନଜର ଆସିଛନ୍ତି। ହେଲେ କରୋନା ତାଙ୍କ ସ୍ବପ୍ନର ବାଟ ଓଗାଳିଛି। ଫିଲ୍ମ ଓ ଟେଲିଭିଜନ ଶିଳ୍ପ ବନ୍ଦ ହେବା ଯୋଗୁ ପରିସ୍ଥିତିରେ ପଡ଼ି ଘରକୁ ଫେରିଛନ୍ତି କାର୍ତ୍ତିକ। ଓଡ଼ିଶା ଫେରିବା ପରେ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ପରିବା ବ୍ୟବସାୟ ପନ୍ଥାକୁ ଆପଣାଇଛନ୍ତି।
କାର୍ତ୍ତିକ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କ ସହ ‘ସୂର୍ଯ୍ୟବଂଶୀ’ ଫିଲ୍ମରେ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ସଞ୍ଜୟ ଦତ୍ତ, ସଲ୍‌ମାନ୍‌ ଖାନ୍‌ ଏବଂ ଅମୀର ଖାଁ ପ୍ରମୁଖଙ୍କ ସହ କାର୍ଯ୍ୟ କରିଛନ୍ତି। ଧାରାବାହିକ ଶ୍ରୀଗଣେଶ ସମେତ ୪ରୁ ଊର୍ଦ୍ଧ୍ୱ ୱେବ୍‌ସିରିଜ୍‌ରେ ଅଭିନୟ କରି ଓଡ଼ିଶା ପାଇଁ ଗର୍ବ ସାଉଁଟିଛନ୍ତି। ଏପରି କି ଆସିବାକୁ ଥିବା ହିନ୍ଦୀ ଫିଲ୍ମ ‘ଟକ୍କର’ ଏବଂ ‘ବାହୁବଳୀ-୩’ ପାଇଁ ମଧ୍ୟ ସେ ଚୟନ ହୋଇଥିଲେ। କିନ୍ତୁ କରୋନା ତାଙ୍କର ସବୁ ସ୍ବପ୍ନକୁ ଅଧାରେ ରଖିଦେଇଛି। ପରିସ୍ଥିତିରେ ପଡ଼ି ଭୁବନେଶ୍ୱରର ରସୁଲଗଡ଼ ଅଞ୍ଚଳରେ କାର୍ତ୍ତିକ ପରିବା ବିକ୍ରି କରୁଛନ୍ତି। ମାତ୍ର ୨ ହଜାର ଟଙ୍କାରେ ପରିବା ବେପାର ଆରମ୍ଭ କରିଛନ୍ତି। ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳେ। ଠିକ୍‌ କ୍ୟାରିୟର ଉପରକୁ ଉଠୁଥିବା ବେଳେ କରୋନା ବାଧକ ସାଜିଛି। ପରିସ୍ଥିିତି ସୁଧୁରିଲେ ମୁମ୍ବାଇ ଯାଇ ତାଙ୍କ ଅଭିଳାଷ ପୂର୍ଣ୍ଣ କରିବେ ବୋଲି କାର୍ତ୍ତିକ ଆଶା ରଖିଛନ୍ତି। ସେହିଭଳି ସୁଯୋଗ ମିଳିଲେ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବେ ବୋଲି ସେ କହିଛନ୍ତି।