ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଭାଇ ଅନିଲଙ୍କ ପରଲୋକ

ମୁମ୍ବାଇ, ୬।୧୦: ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ଦେହାନ୍ତ ହୋଇଛି। ନିଜେ ଅଜୟ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ତେବେ କେଉଁ କାରଣରୁ ଅନିଲଙ୍କ ପରଲୋକ ଘଟିଲା ସେ ସମ୍ବନ୍ଧରେ କିଛି ସୂଚନା ଏ ପର୍ଯ୍ୟନ୍ତ ଦିଆଯାଇନାହିଁ। ଅନିଲଙ୍କ ଫଟୋକୁ ଟୁଇଟର୍‌ରେ ଶେୟାର କରି ଅଜୟ ଦେବଗନ ଲେଖିଛନ୍ତି, ‘ଗତକାଲି ରାତିରେ ମୁଁ ମୋର ଭାଇ ଅନିଲ ଦେବଗନଙ୍କୁ ହରାଇଲି। ତାଙ୍କର ଅକାଳ ବିୟୋଗରେ ପରିବାର ଭାଙ୍ଗିପଡ଼ିଛି। ଏଡିଏଫ୍‌ଏଫ୍‌ ଓ ମୁଁ ସବୁବେଳେ ତାଙ୍କୁ ମିସ୍‌ କରିବି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। କରୋନା ମହାମାରୀକୁ ନଜରରେ ରଖି ପ୍ରାର୍ଥନା ସଭା ଆୟୋଜିତ କରାଯିବ ନାହିଁ।’


ପ୍ରକାଶଯୋଗ୍ୟ, ୧୯୯୬ରେ ସନ୍ନି ଦେଓଲ, ସଲ୍‌ମାନ ଖାନ ଓ କରୀଶ୍ମା କପୁରଙ୍କ ଅଭିନୟରେ ମୁକ୍ତିଲାଭ କରିଥିବା ‘ଜିତ୍‌’ ଫିଲ୍ମ ଜରିଆରେ ଅନିଲ ଦେବଗନ ବଲିଉଡ୍‌ରେ ପ୍ରବେଶ କରିଥିଲେ। ସେ ଏହି ଫିଲ୍ମରେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୨୦୦୦ ମସିହାରେ ‘ରାଜୁ ଚାଚା’ ଫିଲ୍ମରେ ଅନିଲ ନିର୍ଦ୍ଦେଶକ ଭୂମିକାରେ ଦେଖିବାକୁ ମିଳିଥିଲେ। ଏହି ଫିଲ୍ମରେ ଅଜୟ ଦେବଗନ ଅଭିନୟ କରିଥିଲେ। ‘ରାଜୁ ଚାଚା’ ଅଜୟ ଦେବଗନଙ୍କ ପ୍ରଥମ ଘରୋଇ ପ୍ରଡକ୍ସନ ଫିଲ୍ମ ଥିଲା। ଅନିଲ୍‌ଙ୍କ ନିର୍ଦ୍ଦେଶନାରେ ଶେଷ ଫିଲ୍ମ ୨୦୦୮ରେ ‘ହାଲେ-ଦିଲ୍‌’ ମୁକ୍ତି ଲାଭ କରିଥିଲା।

Share