ପିକ୍‌ନିକ୍‌ ଯିବା ବାଟରେ ଗଛରେ ପିଟିହେଲା ବୋଲେରୋ: ଚାଳକଙ୍କ ଜୀବନ ଗଲା, ୬ ଗୁରୁତର

ସବଡେଗା,୧୦।୧(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ୨୪ ନଂ. ଜାତୀୟ ରାଜପଥ ସବଡେଗା ଫାୟାର ଷ୍ଟେଶନ ପାଖରେ ରବିବାର ପୂର୍ବାହ୍ନରେ ଏକ ବରଗଛରେ ବୋଲେରୋ ପିଟି ହେବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ଝାରସୁଗୁଡ଼ାରୁ ଦୁଇଟି ବୋଲେରୋ ଏବଂ ଗୋଟିଏ ପିକ୍‌ଅପ୍‌ ଗାଡ଼ିରେ ୪ଟି ପରବାରର ଲୋକେ ମିଶି ଛତିଶଗଡ଼ ବତ୍ତେବିରା ପିକ୍‌ନିକ୍‌ ସ୍ପଟ୍‌କୁ ଭୋଜି କରିବାକୁ ଯାଉଥିଲେ। ସବ୍‌ଡେଗା ପାଖରେ ବୋଲେରୋ ନଂ ଓଆର ୧୪ ଜେ ୬୪୪୦ର ଚାଳକ ଭାରସାମ୍ୟ ହରାଇ ଦ୍ରୁତଗତିରେ ଏକ ବରଗଛରେ ପିଟି ଦେଇଥିଲେ। ଫଳରେ ଚାଳକ ବିଟୁ ମହାରଜ(୩୮)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ଗୁରୁତରମାନଙ୍କ ମଧ୍ୟରେ ଜଗଦୀପ ମୋରେ (୪୦), ଖୁସି ଅଗ୍ରଓ୍ବାଲ(୨୦), କୁନାଲ ମୋରେ(୧୪), କୈଳାସ ମୋରେ(୫୦), ଦିଶ ଅଗ୍ରଓ୍ବାଲ(୧୮), ରୋଷ୍‌ନୀ ମୋରେ(୨୫)। ଏମାନଙ୍କର ଗୋଡ଼ ଏବଂ ହାତ ଭାଙ୍ଗିଥିବା ସୂଚନା ମିଳିଛି।