ପାଟଣା,୨୪।୧୧(ବୀର କିଶୋର ଦାଶ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଅବସରରେ କେନ୍ଦୁଝର ଜିଲା ରାଜନଗରସ୍ଥିତ ବୈତରଣୀ ନଦୀର ଶୈବ୍ୟା କାବେରୀ ପୀଠ ମଙ୍ଗଳବାରଉତ୍ସବମୁଖର ହୋଇ ଉଠିଥିଲା। ହଜାର ହଜାର ଶ୍ରଦ୍ଧାଳୁ ନଦୀରେ ବୁଡ଼ ପକାଇବା ସହ ଡଙ୍ଗା ଭସାଇ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଓ ଐତିହ୍ୟକୁ ସ୍ମରଣ କରିଥିଲେ।
ଦୀର୍ଘ ୨୬ ବର୍ଷ ଧରି ରାଜନଗର ଗ୍ରାମର ପୁଣ୍ୟତୋୟା ବୈତରଣୀ ନଦୀରେ ଏହି ବୋଇତ ବନ୍ଦାଣ ପରମ୍ପରା ପାଳିତ ହୋଇଆସୁଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ଉତ୍ସବର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ପୂଜକ ମୃତ୍ୟୁଞ୍ଜୟ ପାଣି ପୂଜାର୍ଚ୍ଚନା କରିଥିବା ବେଳେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ ଉତ୍ସବରେ ସାମିଲ ହୋଇଥିଲେ।
ବୋଇତ ବନ୍ଦାଣ କମିଟି ସଭାପତି କାଙ୍ଗାଳି ଚରଣ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମିଟି ସଦସ୍ୟଙ୍କ ସହଯୋଗରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବଣ୍ଟନ ଓ ଭଜନ ପରିବେଷଣ କରାଯାଇଥିଲା। କମିଟି ପକ୍ଷରୁ ୪୦ ଫୁଟ ଲମ୍ବ ଓ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଏକ ସୁସଜ୍ଜିତ ବୋଇତକୁ ବିଧାୟକ ନାଏକ ବନ୍ଦାଣ କରିଥିଲେ।
କାର୍ତ୍ତିକ ମାସ ଅବସରରେ ରାଜନଗରର ଶୈବ୍ୟା କାବେରୀ ପୀଠରେ ପଡ଼ୋଶୀ ଝାଡ଼ଖଣ୍ଡ ଏବଂ ମୟୂରଭଞ୍ଜ ଜିଲାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭୋରରୁ ବୁଡ଼ ପକାଇ ଗୁଆ, ପାନ ଦେଇ ଡଙ୍ଗା ଭସାଇବା ପରେ ରାଜନଗରର ଆରାଧ୍ୟ ଦେବତା ଦଧିବାମନ ଜୀଉଙ୍କ ଦର୍ଶନ କରି ଭକ୍ତମାନେ ଆଶୀର୍ବାଦ ଭିକ୍ଷା କରିଥିଲେ।
ସେହିପରି ପାଟଣା ମୁଖ୍ୟାଳୟସ୍ଥିତ ପରମେଶ୍ୱର ମହାଦେବ ମନ୍ଦିର ନିକଟ ଅନୁସୟା ଘାଟରେ ମଧ୍ୟ ହଜାର ହଜାର ଭକ୍ତ ବୁଡ଼ ପକାଇ ଡଙ୍ଗା ଭସାଇଥିଲେ। ପରେ ମୁଖ୍ୟାଳୟ ପରମେଶ୍ୱର, ଆନନ୍ଦେଶ୍ୱର ଶିବମନ୍ଦିର, ସୱାମ ଶାସନର ସୋମେଶ୍ୱର ମହାଦେବ ଓ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ସାନ୍ନିଧ୍ୟ ଲାଭ କରିଥିଲେ। ଏହି ଅବସରରେ ମହିଳାମାନେ ତୁଳସୀ ଚଉଁରା ମୂଳେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ।