ସରକାରୀ ହସ୍ପିଟାଲର ଷ୍ଟ୍ରେଚରରେ ପଡ଼ିପଡ଼ି କଙ୍କାଳ ହେଲା ମୃତଦେହ

ଇନ୍ଦୋର, ୧୬।୯: ମଧ୍ୟପ୍ରଦେଶରେ ସାଧାରଣ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଇନ୍ଦୋରର ବଡ଼ ସରକାରୀ ହସ୍ପିଟାଲ ଏମ୍‌ଓ୍ବାଇରେ ଶବଘରେ ଏକ ମୃତଦେହ ଷ୍ଟ୍ରେଚରରେ ପଡ଼ିପଡ଼ି ଶେଷରେ ପଚିସଢ଼ି କଙ୍କାଳ ହୋଇଯାଇଥିବା ଘଟଣା ଜଣାପଡ଼ିଛି। ଦୁର୍ଗନ୍ଧ ହେବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ଚେତା ପଶିଥିଲା। ହସ୍ପିଟାଲ ପ୍ରଶାସନ କାଜୁଆଲିଟି ଇନଚାର୍ଜଙ୍କୁ ଏନେଇ ନୋଟିସ୍‌ ଜାରି କରିଥିଲେ। ମୃତଦେହ ୨୦ ଦିନଧରି ଏଠାରେ ପଡ଼ି ରହିଥିଲା। ମୃତଦେହ କାହାର ଏବଂ ବ୍ୟକ୍ତି ଜଣକ କାହିଁକି ହସ୍ପିଟାଲ ଆସିଥିଲେ ସେ ନେଇ କୌଣସି ସୂଚନା ମିଳି ନ ଥିବା କୁହାଯାଉଛି। ତୁରନ୍ତ ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିବା କୁହାଯାଉଛି। ମୃତଦେହ ଅଜ୍ଞାତ ହେଲେ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ଏଠାରେ ରଖାଯାଇଥାଏ ବୋଲି ହସ୍ପିଟାଲ ଅଧିକ୍ଷକ ପି.ଏସ୍‌. ଠାକୁର ସୂଚନା ଦେଇଛନ୍ତି। ତେବେ ଏତେ ଦିନ ଧରି କାହିଁକି ଫ୍ରିଜର ବଦଳରେ ବାହାରେ ମୃତଦେହକୁ ଷ୍ଟ୍ରେଚରରେ ରଖାଗଲା ସେ ନେଇ କାଜୁଆଲିଟି ଇନଚାର୍ଜଙ୍କୁ ନୋଟିସ୍‌ ଦିଆ ଯାଇଥିବା ସେ କହିଛନ୍ତି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

 

Share