ନଦୀରୁ ମୃତଦେହ ଉଦ୍ଧାର, ବଢ଼ିଲା ସନ୍ଦେହ

ନିରାକାରପୁର,୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନୁଣିଆବର ଘାଟ ନିକଟ ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଏବଂ ଜଙ୍କିଆ ପୋଲିସର ମିଳିତ ଉଦ୍ୟମରେ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ସଦର ମେଡିକାଲକୁ ପଠାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନଦୀରେ ଏକ ମୃତଦେହ ଭାସୁଥିବା ନେଇ ଖବର ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଥିଲେ।

ଏନେଇ ଜଙ୍କିଆ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନାଙ୍କୁ ପଚାରିବାରୁ ଉଦ୍ଧାର ହୋଇଥିବା ମୃତଦେହ ମୁହଁ ନଷ୍ଟ ହୋଇଯାଇଥିବାରୁ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ସମ୍ଭବ ହୋଇନାହିଁ। ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସେ କହିଛନ୍ତି। ଏନେଇ ଜଙ୍କିଆ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧୯/୨୬) ରୁଜୁ ହୋଇଛି।

Share