ବଲାଙ୍ଗୀର,୨୫।୫ (ସୁନୀଲ କୁମାର ମହାନ୍ତି ): ଟିଟିଲାଗଡ଼ ମହାରାଜ ସାଗର ପରିସର ମଧ୍ୟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି । ମହାରାଜ ସାଗରରରେ ଏବେ କାମ ଚାଲିଛି । ସାଗରର ସୌନ୍ଦର୍ଯ୍ୟକରଣ କାମ ଚାଲିଥିବା ବେଳେ ମାଟି ଖୋଲା ଯାଇ ହାଇଓ୍ବାରେ ମାଟି ବାହାରକୁ ନିଆଯିବା ପାଇଁ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତାରେ ଜଣେ ଯୁବକର ମୃତଦେହ ଅପରାହ୍ନରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତଦେହ ସମ୍ପୂର୍ଣ ଭାବେ ମାଟି ବାଲିରେ ପରିପୂର୍ଣ୍ଣ ହୋଇ ପଡ଼ିଥିବା ଦେଖାଯାଇଥିଲା । ତେବେ ମୃତ ଯୁବକର ପରିଚୟ ମିଳିନଥିବା ବେଳେ ମାଟି କଢୁଥିବା ହାଇଓ୍ବା ଧକ୍କାରେ ଯୁବକର ମୃତ୍ୟୁ ହୋଇଛି ନା କୌଣସି ଘଟଣା ଯୋଗୁ ଯୁବକଙ୍କ ମୃତ୍ୟ ହୋଇଛି ତାକୁ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛିl ବଲାଙ୍ଗୀର ଜିଲାରେ ୪୮ ଡିଗ୍ରୀ ଥିବାବେଳେ ସରକାରଙ୍କ ପକ୍ଷରୁ ରେଡ୍ ଓ୍ବାର୍ଣ୍ଣଂ ଦିଆଯାଇଛି। ଟିଟିଲାଗଡ଼ରେ ପ୍ରଚଣ୍ଡ ତାତି ଯୋଗୁ ଅଂଶୁଘାତର ଶିକାର ହୋଇ ଯୁବକର ମୃତ୍ୟ ଘଟିଛି ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । ତେବେ ମୃତ ଯୁବକର ପରିଚୟ ମିଳିନଥିବା ବେଳେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାର ଶବ ଗୃହର ଫ୍ରିଜର ଭିତରେ ରଖିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି ।ତେବେ ମୃତ ବ୍ୟକ୍ତି ଜଣକ ଅଣ ଓଡିଆ ଶ୍ରମିକ ହୋଇଥିବା ନେଇ ସ୍ଥାନୀୟ ଲୋକେ ଆଲୋଚନା କରୁଥିବା ଦେଖାଯାଇଛି ।