ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ମନୋଜ ସ୍ବାଇଁ। ତାଙ୍କ ଘର ପୁରୀ ବୋଲି ଜଣାପଡିଛି। ଖବର ପାଇ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି କୁଳମଣି ସେଠୀ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଜବତ କରି ତଦନ୍ତ ଚଲାଇଛନ୍ତି।
ସୂଚନାଯୋଗ୍ୟ, ତାରାତାରିଣୀ ମନ୍ଦିରର ରୋପୱେ ମରାମତି ନିମନ୍ତେ ମନୋଜଙ୍କ ସମେତ ୫ ଜଣ ଯୁବକ ଗତ ୨୮ ତାରିଖରୁ ଆସି ହୋଟେଲରେ ରହୁଥିଲେ। ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ମୃତଦେହଟି କୋଠରି ବାହାରେ ପଡିଥିବା ସହ ପ୍ରବଳ ରକ୍ତଶ୍ରାବ ହେଉଥିବାରୁ ଏହା ଏକପ୍ରକାର ସନ୍ଦେହ ଘେରରେ ରହିଛି। ପୋଲିସ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।