ଅଙ୍ଗନୱାଡି କେନ୍ଦ୍ରରୁ କର୍ମୀଙ୍କ ମୃତଦେହ ଜବତ

ବାହାନଗା, ୯ା୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ମହାରାଜପୁର ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ର ଭିତରୁ ଶୁକ୍ରବାର କର୍ମୀଙ୍କ ମୃତଦେହ ଜବତ କରାଯାଇଛି। ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରି ଟଙ୍ଗାଇ ଦିଆଯାଇଥିବା ତାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଖନ୍ତାପଡା ଥାନା ମହାରାଜପୁର ଗ୍ରାମର ଅଛା ସଙ୍ଗଠନର ସଭାପତି ବିସ୍ମିତ୍‌ ରଞ୍ଜନ ଦାସଙ୍କ ସ୍ତ୍ରୀ ପ୍ରଜ୍ଞାପରମିତା ଦାସ(୩୦) ଅଙ୍ଗନୱାଡି କର୍ମୀ ଭାବେ ଚାକିରି କରିଥିଲେ। ସେ ଶୁକ୍ରବାର ସକାଳେ କେନ୍ଦ୍ରକୁ ଯାଇ ପିଲାଙ୍କୁ ପାଠ ପଢାଇଥିଲେ। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ତାଙ୍କ ଶାଶୁ ରେଣୁକା ଦାସ ପାଖରେ ରହୁଥିବା ଆଶା କର୍ମୀଙ୍କୁ ଫୋନ କରି ବୋହୂ କଣ କରୁଛି ଦେଖିବାକୁ କହିଥିଲେ। ସମ୍ପୃକ୍ତ ଆଶା କର୍ମୀ କେନ୍ଦ୍ରକୁ ଯାଇଥିଲେ। ସେଠାରେ ପିଲାଙ୍କୁ ଓଜନ କରାଯାଉଥିବା ଦଉଡ଼ି ସାହାଯ୍ୟରେ ଅଙ୍ଗନୱାଡି କର୍ମୀ ଫାସି ହୋଇ ଝୁଲି ରହିଥିବା ଦେଖି ଆଶାକର୍ମୀ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପ୍ରଜ୍ଞାପରମିତାଙ୍କ ସ୍ବାମୀ ବିସ୍ମିତ ଓ ଶାଶୁ ରେଣୁକା ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ଖନ୍ତାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବାପଘର ଲୋକ ଖବରପାଇ ମେଡିକାଲରେ ପହଞ୍ଚି ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଜ୍ୱାଇଁଙ୍କୁ ମାଡ଼ ମାରିବା ସହ ଉତ୍ତେଜନା ସୃଷ୍ଟି କରିଥିଲେ। ପୋଲିସ ପହଞ୍ଚି ବିସ୍ମିତଙ୍କୁ ଉଦ୍ଧାର କରିବା ସହ ମା’ ପୁଅ ଦୁଇଜଣଙ୍କୁ ଥାନାକୁ ନେଇ ଅଟକ ରଖିଛନ୍ତି। ଏନେଇ ପ୍ରଜ୍ଞାପରମିତାଙ୍କ ବାପା ଖନ୍ତାପଡା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି।