ଧରାକୋଟ,୪।୮: ଦାଦନ ଦୁଃଖରେ ପୁଣି ପେଶି ହୋଇଛନ୍ତି ଧରାକୋଟ ବ୍ଲକର ଢଉଗାଁ ପଞ୍ଚାୟତ ବାହାଡାଗୁଡା ଗାଁର ମୁସା ଜେନା ଏବଂ ଓଳମ୍ବା ପଞ୍ଚାୟତ କସେଇ ଗାଁର ସନ୍ତୋଷ ଗୌଡ଼ଙ୍କ ପରିବାର । କାମ କରିବାକୁ ଯାଇ ଆନ୍ଧ୍ରପ୍ରଦେଶର ବାଲିକୁରଭା ମଣ୍ଡଳର ମଲାୟାପୁଲମ ଗାଁ ନିକଟ ପଥର ଖଦାନରେ ବିସ୍ଫୋରଣ ଘଟି ଗଞ୍ଜାମ ଓ ଗଜପତି ଜିଲାର ୬ଜଣ ଶ୍ରମିକଙ୍କ ରବିବାର ମୃତ୍ୟୁ ଘଟିଥିଲା। ୬ଜଣଙ୍କ ମଧ୍ୟରେ ଧରାକୋଟ ବ୍ଲକର କସେଇ ଗାଁର ସନ୍ତୋଷ ଗୌଡ଼ ୩୬ ଓ ବାହାଡ଼ାଗୁଡା ଗାଁର ମୁସା ଜେନା ୪୩ଙ୍କ ମୃତ୍ୟୁ ଘଟିଛି।
ସୋମବାର ଆନ୍ଧ୍ରପ୍ରଦେଶ ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ୬ଜଣଙ୍କ ମୃତଦେହ ଓଡ଼ିଶା ପଠାଯାଇଥିଲା। ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଏବଂ ଭାରପ୍ରାପ୍ତ ବିଡିଓ ସୁଶିଲ ପଟ୍ଟନାୟକ ଶ୍ରମିକ ସନ୍ତୋଷ ଏବଂ ମୁସାଙ୍କ ମୃତଦେହକୁ ପରିବାରର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ଅନ୍ୟପକ୍ଷେ ଅତିରିକ୍ତ ଜିଲାପାଳ ଛତ୍ରପୁର ସନ୍ତୋଷ କୁମାର ପୃଷ୍ଟି, ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା, ସହକାରୀ ଶ୍ରମ ଅଧିକାରୀ ହୃଷୀକେଶ ରାଓଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ ଶ୍ରମିକମାନଙ୍କ ଅନ୍ତିମ ଶତ୍କାର କରାଯାଇଛି।
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ବାଣିଜ୍ୟ, ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ଆସିକା ଜିଲା ଭାଜପା ସଭାପତି ବିଜୟ ସ୍ବାଇଁ, ଭାଜପା ନେତା ଉତ୍ତମ ପାଣିଗ୍ରାହୀ ପ୍ରମୁଖ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ।
ଏହି ଅବସରରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ୨୦୦୦୦ ହଜାର ଟଙ୍କା ଓ ରେଡକ୍ରସ ପକ୍ଷରୁ ୩୦୦୦୦ ହଜାର ଟଙ୍କା ମୋଟ ୫୦୦୦୦ ହଜାର ଟଙ୍କା ଉଭୟ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଥିଲା। ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି।
ସ୍ବାମୀ ମୁସାଙ୍କୁ ହରାଇ ସ୍ତ୍ରୀ ମଞ୍ଜୁଳା, ପୁଅ ଆଲୋକ ଏବଂ ଝିଅ ରୂପାଲି ବେସାହାରା ହୋଇପଡିଥିବା ବେଳେ ସନ୍ତୋଷଙ୍କୁ ହରାଇ ସ୍ତ୍ରୀ ରିନା, ଝିଅ ତପସ୍ୟା ଓ ଆଶା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।


