୮ ଘଣ୍ଟା ପରେ ସମୁଦ୍ରରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ

ଛତ୍ରପୁର,୧।୬(ଡି.ଏନ୍‌.ଏ. ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଛାତ୍ରୀ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସକାଳେ ମିଳିଥିବା ବେଳେ ଆଉ ଜଣେ ନିଖୋଜ ଥିଲେ। ୮ ଘଣ୍ଟାର ମିଳିତ ସର୍ଚ୍ଚ ଅପରେଶନ ପରେ ନିଖୋଜ ଛାତ୍ରୀଙ୍କ ମୃତଦେହ ସାରେ ଉଦ୍ଧାର ହୋଇଛି। ଉଦ୍ଧାର କାର୍ଯ୍ୟରେ କୋଷ୍ଟ ଗାର୍ଡର ଏୟାରକ୍ରାଫ୍ଟ ସହ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ଟିମ୍‌ ସାମିଲ ହୋଇଥିଲେ । ମୃତ ଛାତ୍ରୀ ଦ୍ବୟ ହେଲେ କନିଷିର ସ୍ବପ୍ନା ରାଣୀ ପଣ୍ଡିତ ଏବଂ ଶେରଗଡ଼ର ପ୍ରଜ୍ଞା ରାଣୀ ତ୍ରିପାଠୀ।

ଯାତ୍ରା ଦେଖିବା ପାଇଁ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ ଆଜି ସକାଳେ ୬ଜଣ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ। ସେତିକିବେଳେ ସମସ୍ତେ ଭାସିଯାଇଥିଲେ। ଗ୍ରାମବାସୀ ୪ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଏହାର କିଛି ସମୟ ପରେ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟଜଣେ ନିଖୋଜ ଥିଲେ। ଉଦ୍ଧାର ଛାତ୍ରୀମାନଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ଅତିରିକ୍ତ ଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିଥିଲେ।