Categories: ଜାତୀୟ

ଦୂତାବାସ ଭିତରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତଦେହ…

ନୂଆଦିଲ୍ଲୀ,୭।୩ : ଭାରତ ପାଇଁ ପାଲେଷ୍ଟାଇନରୁ ଦୁଃଖଦ ଖବର ଆସିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପାଲେଷ୍ଟାଇନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ସୂଚନା ଦେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପାଲେଷ୍ଟାଇନରେ ମୁକୁଲଙ୍କ ମୃତଦେହ ଦୂତାବାସରୁ ମିଳିଛି। ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର ଏନେଇ ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି।

ପାଲେଷ୍ଟାଇନର ରାମଲ୍ଲାରେ ଅବସ୍ଥାପିତ ଥିବା ମୁକୁଲଙ୍କ ମୃତ୍ୟୁ ସମ୍ପର୍କରେ ଶୋକ ପ୍ରକାଶ କରି ଜୟଶଙ୍କର କହିଛନ୍ତି ଯେ, ସେ ଜଣେ ଉଜ୍ଜ୍ୱଳ ଏବଂ ଦକ୍ଷ ଅଧିକାରୀ ଥିଲେ। ତାଙ୍କୁ ବହୁତ କିଛି କାମ କରିବାର ଥିଲା। ଏହା ସହିତ ଜୟଶଙ୍କର ମୁକୁଲଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ମୁକୁଲଙ୍କ ମୃତଦେହକୁ ଭାରତକୁ ଆଣିବା ପାଇଁ ପାଲେଷ୍ଟାଇନ ସରକାରଙ୍କ ସହିତ ଆଲୋଚନା ଆରମ୍ଭ ହୋଇଛି। ଏସମ୍ପର୍କରେ ପାଲେଷ୍ଟାଇନ୍‌ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।

ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଅବ୍ବାସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ଶତୟେହ ଫୋରେନସିକ ଯାଞ୍ଚ୍‌ ସହିତ ସୁରକ୍ଷା, ପୋଲିସ ଏବଂ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ରାମଲ୍ଲାସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ ବାସଭବନକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି।

Share