କରୋନାରେ ମୃତ ବରିଷ୍ଠ ନାଗରିକଙ୍କୁ ୪୮ ଘଣ୍ଟା ଫ୍ରିଜରରେ ରଖିଲେ ପରିବାର!

କୋଲକାତା,୨।୭: କରୋନା ସଂକ୍ରମଣ ଓ ଏଥିରେ ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ବେଳେ ବେଳେ ଏମିତି ଖବର ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରି ଦେଉଛି। ନିକଟରେ ପଶ୍ଚିମବଙ୍ଗରେ ଜଣେ ବୃଦ୍ଧଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ସଂସ୍କାର କରିବା ପୂର୍ବରୁ ଅତିକମ୍‌ରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଫ୍ରିଜରରେ ରଖିଛନ୍ତି ପରିବାର ଲୋକେ। ଅସଲ କଥା ହେଲା ଏମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ନ ମିଳିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ମିଳିଥିବା ସୂଚନାରୁ ଜଣାପଡିଛି କି ମଧ୍ୟ କୋଲକାତାର ରାମମୋହନରାୟ ସରନି ଅଞ୍ଚଳରେ ରହୁଥିବା ୭୧ ବର୍ଷ ବୟସ୍କ ଜଣେ ବୃଦ୍ଧ ବ୍ୟକ୍ତି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଜଣେ ଡାକ୍ତରଙ୍କ ନିକଟକୁ ନେଇ ଯାଇଥିଲେ। ଡାକ୍ତର ଜଣଙ୍କ ତାଙ୍କର କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଥିବା ବେଳେ ଘରକୁ ଆସିବା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଓ ପରେ ମୃତ୍ୟୁ ହୋଇଥିଲା। ଘରୋଇ ଡାକ୍ତର ଜଣଙ୍କ ତାଙ୍କୁ ଘରେ ଦେଖିବା ପାଇଁ ଆସିଥିଲେ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ନ ଦେବାରୁ ପରିବାର ଲୋକେ ତାଙ୍କର ସଂସ୍କାର କରାଇ ପାରି ନ ଥିଲେ। ଏ ସମ୍ପର୍କରେ ନିକଟସ୍ଥ ଥାନା ସହ ଯୋଗାଯୋଗ କରିବାକୁ ସେ କହିଥିଲେ। ହେଲେ ସେଠାରୁ କୌଣସି ସହଯୋଗ ନ ମିଳିବାରୁ ସେମାନେ ସ୍ଥାନୀୟ କାଉନସିଲରଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ କିଛି ଫଳ ହୋଇ ନ ଥିଲା। ଏହାପରେ ସେମାନେ ସ୍ବାସ୍ଥ୍ୟ ବିଭାଗର ହେଲ୍‌ପ ଲାଇନ ନମ୍ବରକୁ ମଧ୍ୟ ଯୋଗାଯୋଗ କରିଥିଲେ। ସେଠାରୁ ନିରାଶ ହେବା ପରେ ପରିବାର ସଦସ୍ୟ ମୃତଦେହ ସଂସ୍କାର କରୁଥିବା କିଛି ସଂସ୍ଥା ସହ ଯୋଗାଯୋଗ କରିଥିଲେ। ତେଣୁ ବେଳକୁ ବେଳ ସମୟ ବଢି ଚାଲିଥିବାରୁ ମୃତକଙ୍କ ପରିବାର ଏକ ଫ୍ରିଜରର ଯୋଗାଡ କରି ମୃତ ଦେହକୁ ପାଖାପାଖି ୪୮ ଘଣ୍ଟା ସେଥିରେ ରଖିବା ପରେ କୋଲକତା ନଗର ନିଗମ ଦ୍ୱାରା ଶେଷରେ କରୋନା ସଂକ୍ରମିତଙ୍କ ମୃତ ଦେହକୁ ସଂସ୍କାର କରାଯାଇଥିବା ଜଣାପଡିଛି।

Share