ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ ଅର୍ଚ୍ଚନା ପରିଡ଼ା। ସେ ହେଉଛନ୍ତି ଉକ୍ତ ଦୋକାନ ମାଲିକଙ୍କ ସ୍ତ୍ରୀ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅର୍ଚ୍ଚନାଙ୍କ ଭାଇ ଅଜୟ କୁମାର ବାରିକ ଥାନାରେ ଅଭିଯୋଗ କରିଛନ୍ତି। ୟ

ଅଭିଯାଗକୁ ଭିତ୍ତି କରି ପୋଲିସ ତାଙ୍କ ସ୍ବାମୀ ଅଭିମନ୍ୟୁ ପରିଡ଼ାଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ମୃତଦେହକୁ ପୋଲିସ ଜିଲା ମୁଖ୍ୟ ଡାକ୍ତର ଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି।

ଅନ୍ୟପକ୍ଷେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଲୋକ ଅଭିଯୁକ୍ତଙ୍କୁ ଆକ୍ରମଣ କରି ମାଡ଼ ମାରିଥିଲେ। ପ୍ରକାଶ ଯେ, ରବିବାର ଅର୍ଚ୍ଚନାଙ୍କ ସ୍ବାମୀ ଅଭିମନ୍ୟୁ ଥାନାରେ ଖବର ଦେଇଥିଲେ ଯେ, ଦୋକାନ ଭିତରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।

୨୦୧୪ରେ ହାଣ୍ଡିଭଙ୍ଗା ଅଞ୍ଚଳର ଅଭିମନ୍ୟୁ ମୟୁରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳର ଅର୍ଚ୍ଚନା ବାରିକଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି । ଘୁଟୁରୁରେ ଅର୍ଚ୍ଚନା ଟ୍ରେଡର୍ସ ଓ ଶୁଭମ ମୋଟର୍ସ ନାମରେ ସେମାନଙ୍କ ବ୍ୟବସାୟ ରହିଛି। ତେବେ ଅର୍ଚ୍ଚନାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଅଭିମନ୍ୟୁ ନିୟମିତ ମଦ୍ୟପାନ କରି ଅର୍ଚ୍ଚନାଙ୍କୁ ମାରପିଟ କରୁଥିଲେ । ଅର୍ଚ୍ଚନା ଓ ଅଭିମନ୍ୟୁ ବଣିଆପାଟ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ଅର୍ଚ୍ଚନାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଶୋରୁମରେ ଆଣି ରଖାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ମିଳିଥିବା ସୂଚନା ମିଳିଛି। ତେବେ ଏହି ସୁଇସାଇଡ ନୋଟରେ ସ୍ବାମୀ ଦାୟୀ ନ ଥିବା ଲେଖାଯାଇଥିବା ବେଳେ ଏହାକୁ ନେଇ ପରିବାର ଲୋକେ ଆପତ୍ତି ଉଠାଯାଇଛି ।

ସୁଇସାଇଡ ଅର୍ଚ୍ଚନା ଲେଖି ନ ଥିବା ବେଳେ ତାଙ୍କୁ ହତ୍ୟା କରିବା ପରେ ସ୍ବାମୀ ଏହା ଲେଖିଥିବା ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି । ଏନେଇ କେନ୍ଦୁଝର ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଇ କହିଛନ୍ତି, ଅର୍ଚ୍ଚନାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ପରେ ଟାଉନ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ଘଟଣା ତଦନ୍ତ ଚାଲିଛି।

Share