ନଦୀରେ ଭାସିଆସି ଗଛରେ ଲାଖି ରହିଛି ବୃଦ୍ଧାଙ୍କ ମୃତଦେହ

ପଟ୍ଟାଙ୍ଗି,୨୯।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୁଆଁଗା ପଞ୍ଚାୟତ କୁମ୍ବିଗୁଡା ନଦୀ କୂଳରେ ଏକ ଅଚିହ୍ନା ବୃଦ୍ଧାଙ୍କ ମୃତଦେହ ପଡି ରହିଥିବା ଗୁରୁବାର ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ଦିନ ହେଲା ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଅଞ୍ଚଳରେ ଲଗାଣ ବର୍ଷା ହୋଇଥିଲା। ଏନେଇ ନଦୀଠାରୁ ଆରମ୍ଭ କରି ରାସ୍ତା ଘାଟ ପାଣି ଘେରରେ ରହିଛି। ଏଭଳିସ୍ଥିତିରେ ବର୍ଷା ଯୋଗୁ ନଦୀରେ କିଛି ଗଛ ଭାସି ଆସିଥିବା ବେଳେ ଗଛରେ ଜଣେ ବୃଦ୍ଧାଙ୍କ ମୃତଦେହ ଲାଖି ରହିଥିବା ଦିଗୁଗାବଡାର ଗ୍ରାମର ହାରୁ ହନ୍ତାଳ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ହେଲେ ମୃତଦେହ ଚିହ୍ନଟ ହୋଇପାରି ନ ଥିଲା। ଖବର ପାଇ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇ ଥିଲେ। ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଏପରିକି ପୋଲିସ ମୃତଦେହ ଚିହ୍ନଟ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି। ଘଟଣା ସମ୍ପର୍କରେ ତହସିଲଦାର ଧାରୁଆଙ୍କୁ ପଚାରିବାରୁ ମୃତଦେହ କିପରି ଚିହ୍ନଟ ହୋଇପାରିବ ସେନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି।

Share