ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୁକୁଳା ଡ୍ରେନରେ ପଡି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।ମଙ୍ଗଳବାର ସକାଳେ ଡ୍ରେନ ଭିତରେ ଜଣେ ବ୍ୟକ୍ତି ପଡ଼ିଥିବା ଦେଖି ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଦମକଳ ବାହିନୀ ପୋଲିସ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରିଛି । ମୃତକ ହେଉଛନ୍ତି ବାଇପାସ କଲୋନୀର ଅକ୍ଷୟ ପ୍ରଧାନ(୫୨) ।
ସୋମବାର ଅକ୍ଷୟ ସଜନା ଗଛରୁ ଶାଗ ତୋଳିବା ବେଳେ ଡ୍ରେନ୍ ରେ ଗଳି ପଡ଼ିଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ବାଇପାସ୍ ସ୍ଥିତ ସାଳନ୍ଦୀ କେନାଲ ଡିଭିଜନ ଅଫିସ ପରିସରରେ ଏହି ଘଟଣା ଘଟିଛି । ଅଫିସ ପରିସରରେ ଥିବା ଡ୍ରେନର ଢାଙ୍କୁଣି ନଥିବାରୁ ଅକ୍ଷୟ ଗଳି ପଡ଼ିଥିବା ସୂଚନା ମିଳିଛି । ତେବେ ଅଫିସ ପରିସରକୁ ଜଣେ ବ୍ୟକ୍ତି କିପରି ଗଲେ ଓ ଡ୍ରେନ କାହିଁକି ମୁକୁଳା ପଡିଛି ସେନେଇ ତଦନ୍ତ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।