ରାସ୍ତାକଡ଼ରୁ ମିଳିଲା ମୃତଦେହ: ତଣ୍ଟିଚିପି ହତ୍ୟା ସନ୍ଦେହ

ଚାନ୍ଦବାଲି,୪।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କ ପରିଚୟ ମିଳି ନ ଥିବା ବେଳେ ବୟସ ୫୦ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ସେ ଏକ କଳାରଙ୍ଗର ହାଫ୍‌ ପ୍ୟାଣ୍ଟ ଓ ନୀଳ ରଙ୍ଗର ଟି ଶାର୍ଟ ପିନ୍ଧିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚାନ୍ଦବାଲି ପଠାଇଛି।

ବ୍ୟକ୍ତିଙ୍କ ବେକରେ ଗାମୁଛା ଭିଡା ଯାଇଥିବା ଦେଖିବାକୁ ମିଳିଛି। ଏପରି କି ମୃତଦେହ ନିକଟରେ ରକ୍ତଛିଟା ପଡ଼ିଥିବା ବେଳେ ଦେହରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ଏହା ଦୁର୍ଘଟଣାଜନିତ ମୃତ୍ୟୁ ହୋଇ ନ ଥିବା ବେଳେ କୌଣସି ଘଟଣାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ବ୍ୟକ୍ତିଙ୍କ ତଣ୍ଟିଚିପି ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ ବ୍ୟକ୍ତ କରିଛନ୍ତି। ପୋଲିସ ଏବଂ ସାଇଣ୍ଟିଫିକ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।