ମିଳିଲାଣି ହଜାରେ ଶିଶୁଙ୍କ ମୃତଦେହ

ଅଟାଓ୍ବା, ୧୫ା୭: କାନାଡାର ଦକ୍ଷିଣପଶ୍ଚିମ ବ୍ରିଟିଶ କଲମ୍ବିଆସ୍ଥିତ ଏକ ବୋର୍ଡିଂ ସ୍କୁଲରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆହୁରି ୧୬୦ ଛାତ୍ରୀଛାତ୍ରଙ୍କ କଙ୍କାଳ ମିଳିଛି। ଏହାକୁ ମିଶାଇ ଅଦ୍ୟାବଧି ୧ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କ ସମାଧି ଠାବ ହେଲାଣି। ପେନେଲାକୁଟ୍‌ ଦ୍ୱୀପର କୁପର ଆଇଲାଣ୍ଡ ଇଣ୍ଡଷ୍ଟ୍ରିଆଲ ସ୍କୁଲ ନିକଟରେ ଏହି ଗଣସମାଧି ଠାବ କରାଯାଇଥିବା ସେଠାକାର ଆଦିବାସୀମାନେ ଏକ ବିବୃତ୍ତିରେ କହିଛନ୍ତି। ବଢ଼ି ଚାଲିଥିବା ମୃତ୍ୟୁସଂଖ୍ୟାକୁ ଦେଖି ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଶୋକ ବ୍ୟକ୍ତ କରିଛନ୍ତି। ଏହାକୁ ମାନବତା ବିରୋଧୀ ଅପରାଧ ବିବେଚନା କରି ତଦନ୍ତକାରୀ ଅଧିକାରୀମାନେ ତନାଘନା ଚଳାଇଛନ୍ତି।
ଯେ, କାନାଡାରେ ୧୮୬୩ରୁ ୧୯୯୮ ପର୍ଯ୍ୟନ୍ତ ରେସିଡେନ୍ସିଆଲ ସ୍କୁଲ ବ୍ୟବସ୍ଥା ପ୍ରଚଳନ ଥିଲା। ଏହା କେତେକ ଚର୍ଚ୍ଚ ଦ୍ୱାରା ପରିଚାଳିତ ହେଉଥିଲା। ପ୍ରାୟ ୧,୫୦,୦୦୦ ପିଲାଙ୍କୁ ସେମାନଙ୍କ ଘରୁ ଜବରଦସ୍ତି ନିଆଯାଇ ସ୍କୁଲଗୁଡ଼ିକରେ ରଖାଯାଇଥିଲା। ସେମାନଙ୍କୁ ନିଜ ଭାଷା, ସଂସ୍କୃତିଠାରୁ ଦୂରରେ ରହିବାକୁ ବାଧ୍ୟ କରାଯାଉଥିଲା। ଅନେକଙ୍କୁ ଶାରୀରିକ ନିର୍ଯାତନା ଏପରି କି ଛୋଟ ପିଲାଙ୍କୁ ବଳାତ୍କାର ମଧ୍ୟ କରାଯାଉଥିଲା। ଏହି ବ୍ୟବସ୍ଥାର ପ୍ରଭାବ ଯାଞ୍ଚ ପାଇଁ ୨୦୦୮ରେ ଦି ଟ୍ରୁଥ୍‌ ଆଣ୍ଡ ରିକନ୍‌ସିଲିଏସନ୍‌ କମିଶନ (ଟିଆର୍‌ସି) ଗଠନ ହୋଇଥିଲା।

Share