ଡଙ୍ଗା ବନ୍ଦ କରିଦେଲା ପଞ୍ଚାୟତ

ଝାରସୁଗୁଡ଼ା ଅଫିସ,୩ା୪: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ସୀମାନ୍ତବର୍ତ୍ତୀ ୧୯ଖଣ୍ଡ ମୌଜା ଅନ୍ତର୍ଗତ ମହାନଦୀର ମହୁଲପାଲି ଘାଟରୁ ବରଗଡ ଜିଲା ଅମ୍ବାଭୋନା ବ୍ଲକ୍‌ ଚିଖିଲକୁ ଡଙ୍ଗା ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ଉଭୟ ଜିଲାର ଲୋକଙ୍କ ଯାତାୟାତ ଠପ୍‌ ହୋଇଯାଇଛି। ଏ ସମ୍ପର୍କରେ ପୂର୍ବ ସୂଚନା ନ ଥିବାରୁ ଦୂରଦୂରାନ୍ତରୁ ଲୋକେ ନଦୀଘାଟକୁ ଆସି ଫେରିଯାଉଛନ୍ତି। ବନ୍ଦ ଥିବା ଡଙ୍ଗା ପୁନଃ ଚାଲୁ କରିବା ପାଇଁ ଉଭୟ ଜିଲାର ଲୋକେ ଦାବି କରିଛନ୍ତି।

ମହୁଲପାଲି ଡଙ୍ଗାଘାଟ ସ୍ଥାନୀୟ କଣ୍ଢେଇକେଲା ପଞ୍ଚାୟତ ଅଧୀନରେ ଆସୁଥିବା ବେଳେ ପଞ୍ଚାୟତ ପକ୍ଷରୁ ଏହାକୁ ପ୍ରତିବର୍ଷ ନିଲାମ କରାଯାଇଥାଏ। ୨୦୨୧-୨୨ ଆର୍ଥତ୍କ ବର୍ଷର ଡଙ୍ଗାଘାଟ ନିଲାମ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଯାଇଛି। ଏ ନେଇ ପଞ୍ଚାୟତ ତରଫରୁ କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଯାଇ ଠିକାଦାରଙ୍କୁ ଡଙ୍ଗା ଚଳାଚଳ ବନ୍ଦ କରିବାପାଇଁ ନୋଟିସ୍‌ ଜାରି କରାଯାଇଛି ।

ଅନ୍ୟପକ୍ଷେ ଏକ ଯାତ୍ରୀବାହୀ ଡଙ୍ଗା ଚଳାଚଳ କରିବା ପାଇଁ ପ୍ରୟାସ କରାଯାଇଥିଲା। ହେଲେ ଡଙ୍ଗାରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଫଳରେ ଡଙ୍ଗା ଚଳାଚଳ ହୋଇପାରି ନ ଥିଲା। ଏ ନେଇ ସରପଞ୍ଚ ଅଶୋକ ସେଠ୍‌ ଓ ସମିତିସଭ୍ୟ ଅନିଲ ବାରିକ ଘାଟ ନିଲାମ ହେବା ପର୍ଯ୍ୟନ୍ତ ତୁରନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଡିଓ ସଞ୍ଜୀବ ପଟେଲ ଯୁଦ୍ଧକାଳୀନ ଭିତ୍ତିରେ ଡଙ୍ଗା ଚଳାଚଳ କରିବା ପାଇଁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।