ନିକୋସିଆ,୩୦ା୮: ଉତ୍ତର ସାଇପ୍ରସ୍ ଉପକୂଳରେ ଏକ ବୋଟ୍ ରବିବାର ବୁଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ଏନେଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ
ପାରେ ବୋଲି ଅନୁମାନ କରାଯାଉଛି। ସାଇପ୍ରସ୍ ପରିବହନ ମନ୍ତ୍ରୀ ଏର୍ହାନ ଆରିକ୍ଲିଙ୍କ ସୂଚନା ଅନୁଯାୟୀ, ବୋଟ୍ରେ ୨୫୯ ଜଣ ଯାତ୍ରୀ ଓ ୮ ଜଣ କ୍ରିଉ ସଦସ୍ୟ ଥିଲେ। ଘରୋଇ ମାଲିକାନାରେ ଥିବା ଉକ୍ତ ବୋଟ୍ଟି ଅପରାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଉତ୍ତର ସାଇପ୍ରସ୍ର କାଇରେନିଆ ବନ୍ଦର ଛାଡ଼ିବା ପରେ କୌଣସି କାରଣରୁ ସେଥିରେ ପାଣି ପଶିବା ଆରମ୍ଭ ହୋଇଥିଲା। ବୋଟ୍ଟି ତୁର୍କୀର ମେର୍ସିନ ପ୍ରଦେଶରେ ଥିବା ଟାସୁକୁ ବନ୍ଦର ଅଭିମୁଖେ ଯାଉଥିଲା।
ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାର ହୋଇଥିବା କେତେଜଣଙ୍କୁ ହସ୍ପିଟାଲ ନିଆଯାଇଛି। ୧୫୯ ଯାତ୍ରୀଙ୍କୁ ଉଦ୍ଧାର କରାଗଲାଣି ବୋଲି କାଇରେନିଆ ମେୟର ମୁରତ ଏନକୁଲ୍ ଗଣମାଧ୍ୟମକୁ କହିଛନ୍ତି। ଓଲଟି ପଡ଼ିଥିବା ବୋଟ ଉପରେ ଲାଇଫ୍ ଜାକେଟ ପିନ୍ଧି କେତେକ ଲୋକ ଛିଡ଼ାହୋଇଥିବା ଦେଖାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ତଟସୁରକ୍ଷା କର୍ମଚାରୀ, ହେଲିକପ୍ଟର ଓ ବୋଟ୍ଗୁଡ଼ିକୁ ନିୟୋଜିତ କରାଯାଇଛି। ଉଦ୍ଧାର ଲୋକମାନଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି।