ଚିଲିକାରେ ବୁଡ଼ିଲା ଡଙ୍ଗା

ଖୋର୍ଦ୍ଧା ଅଫିସ,୧୯।୬: ଚିଲିକାରୁ ମାଛ ଧରି କୂଳକୁ ଫେରୁଥିବା ଏକ ଡଙ୍ଗା ଶନିବାର କାଳବୈଶାଖୀ ଯୋଗୁ ବୁଡ଼ିଯାଇଥିଲା। ଫଳରେ ଲକ୍ଷାଧିକ ଟଙ୍କାର ମାଛ ଓ ଜାଲ ପାଣିରେ ଭାସିଯାଇଥିବା ବେଳେ ମତ୍ସ୍ୟଜୀବୀମାନେ ପହଁରି ନିଜ ଜୀବନ ବଞ୍ଚାଇଛନ୍ତି। ସୂଚନା ଅନୁଯାୟୀ, ଦୁଇଦିନ ପୂର୍ବରୁ ୪ରୁ ୫ଜଣ ମତ୍ସ୍ୟଜୀବୀ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ଶନିବାର ଅପରାହ୍ନରେ ସେମାନେ ଘରକୁ ଫେରୁଥିଲେ। ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଧୀନ କାଳୁପଡ଼ାଘାଟରୁ ସୋରଣ ମଧ୍ୟସ୍ଥ ଅଞ୍ଚଳରେ ହଠାତ୍‌ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହୋଇଥିଲା। ଫଳରେ ମତ୍ସ୍ୟଜୀବୀ ଡଙ୍ଗାର ଭାରସାମ୍ୟ ରଖିବାରେ ବିଫଳ ହେବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା। ମତ୍ସ୍ୟଜୀବୀଙ୍କ ଚିତ୍କାର ଶୁଣି ନିକଟରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ମାଛଧରା ଡଙ୍ଗାକୁ ଉଦ୍ଧାର କରି କୂଳକୁ ଆଣିଥିଲେ। କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ଘର ବରଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନାଥାଉ କି, ମେ’ ୫ରେ ମା’କାଳିଜାଈ ପୀଠରୁ ଦର୍ଶନ ସାରି ବାଲୁଗଁା କୂଳକୁ ଫେରୁଥିବା ଏକ ଯାତ୍ରୀବାହୀ ଡଙ୍ଗା କାଳବୈଶାଖୀ ଯୋଗୁ ଚିଲିକାରେ ବୁଡ଼ିଯାଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣଙ୍କୁ ଉଦ୍ଧାର କରାଯାଇଥିଲା।