ମାଟ୍ରିକ୍‌ ପରୀକ୍ଷା ନେଇ ବୋର୍ଡ ବିଜ୍ଞପ୍ତି

କଟକ ଅଫିସ, ୯ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷର ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପରୀକ୍ଷାର୍ଥୀ ସମ୍ମେଟିଭ-୧ ପରୀକ୍ଷାରେ କପି କରି ଧରାପଡିଥିଲେ, ସେମାନେ ସମ୍ମେଟିଭ-୨ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ସେମାନଙ୍କୁ ସମ୍ମେଟିଭ-୨ ପରୀକ୍ଷା ପାଇଁ ଫର୍ମପୂରଣ କରିବାକୁ ଅନୁମତି ଦିଆଯାଇ ନ ଥିବା ଜଣାପଡିଛି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା-୨୦୨୨ (ଦ୍ୱିତୀୟ)ରେ ଯେଉଁ ବିଷୟରେ ପରୀକ୍ଷାର୍ଥୀ କପି କରି ଧରାପଡିଥିଲେ, ସେହି ବିଷୟର ମାର୍କ ପ୍ରକାଶକୁ ବୋର୍ଡ ପକ୍ଷରୁ ବାତିଲ କରାଯାଇଥିବା ସୂଚନା ମିଳିଛି।

ସୂଚନାଥାଉ କି, ଚଳିତବର୍ଷ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା ଦେବାକୁ ୫ ଲକ୍ଷ ୩୨ ହଜାର ୭୪୬ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୧୩ ହଜାର ୫୮ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସେହିଭଳି କପି କରି ୧୪୩ ଜଣ ପରୀକ୍ଷାର୍ଥୀ ଧରାପଡିଥିଲେ। ଗତ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସମ୍ମେଟିଭ-୨ ପରୀକ୍ଷା ଫର୍ମପୂରଣରୁ ସେମାନଙ୍କୁ ବଞ୍ଚିତ କରାଯାଇଛି।