ଶ୍ରେଷ୍ଠ ମହାନଗର ନିଗମ ଭାବେ ବିଏମ୍‌ସି ପୁରସ୍କୃତ

ଭୁବନେଶ୍ୱର, ୨୯।୮ (ବନ୍ଦନା ସେଠୀ):୧୩୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ‘ଶ୍ରେଷ୍ଠ ମହାନଗର ନିଗମ’ ଭାବେ ପୁରସ୍କୃତ ହୋଇଛି। ସୋମବାର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଜାଗା ମିଶନ ଅନ୍ତର୍ଗତ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ମେୟର ସୁଲେଚାନା ଦାସ, କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସହ ଅନ୍ୟ ଅଧିକାରୀ ଓ କର୍ପୋରେଟରମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ବସ୍ତିବାସିନ୍ଦାଙ୍କୁ ଜମିର ମାଲିକାନା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସ୍ବରୂପ ପ୍ରଥମ ପର୍ଯ୍ୟାୟରେ ବିଏମ୍‌ସି ଅଞ୍ଚଳର ୫୧ ହଜାର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଇଛି। ରାଜ୍ୟର ୫ଟି ମହାନଗର ନିଗମ ମଧ୍ୟରୁ ବିଏମ୍‌ସି ଖୁବ୍‌ କମ୍‌ ଦିନରେ ୧୩୫ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରି ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ କରାଯାଇଥିଲା।
ତେବେ ଏହି ଅଭିଯାନ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ନିୟମ ମୁତାବକ ଭୂମି ଅଧିକାର ପ୍ରମାଣପତ୍ର ଦେବା ପାଇଁ ପ୍ରକ୍ରିୟା ଜାରି ରହିଥିବା କମିଶନର କୁଲାଙ୍ଗେ କହିଛନ୍ତି। ଏହି ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ବିଏମ୍‌ସି ଅଞ୍ଚଳର ୪ ହଜାର ୫୦୦ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିଥିବାବେଳେ ବିଏମ୍‌ସିର ୩ଟି ଜୋନ୍‌ ଅଫିସରେ ବାକି ୪୬ ହଜାର ୫୦୦ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି।