Categories: ଜାତୀୟ

ପରୀକ୍ଷାରେ କପି କରିବା ପାଇଁ ଛାତ୍ରଙ୍କ ହାଇଟେକ୍‌ ବୁଦ୍ଧି

ଜୟପୁର,୨୬।୯: ରାଜସ୍ଥାନର ସରକାରୀ ସ୍କୁଲ ପାଇଁ ଶିକ୍ଷକ ଚୟନ ପରୀକ୍ଷା ବେଳେ କପି କରିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି ୫ ପରୀକ୍ଷାର୍ଥୀ। ଗିରଫ ହୋଇଥିବା ଆଶୟୀମାନେ ସ୍ବତନ୍ତ୍ର ଚପଲ ପିନ୍ଧିଥିଲେ, ଯେଉଁଥିରେ ଫିଟ୍‌ ହୋଇଥିଲା ବ୍ଲୁଟୁଥ ଡିଭାଇସ୍‌। ଏ ନେଇ ପରୀକ୍ଷା ପରିଚାଳନାରେ ଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ଚପଲର ସୋଲ ଭିତରେ ପୂରା ମୋବାଇଲ ଓ ବ୍ଲୁଟୁଥ ଡିଭାଇସ ଲାଗିଥିଲା। ପରୀକ୍ଷାର୍ଥୀମାନେ କାନରେ ଏକ ଇଅର ପଡ୍‌ ଲଗାଇଥିଲେ। ଚପଲରେ ଲାଗିଥିବା ବ୍ଲୁଟୁଥ ଜରିଆରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ବାହାରେ ବସି ଜଣେ କେହି ଚିଟିଂ କରିବାରେ ସାହାଯ୍ୟ କରୁଥିଲେ ବୋଲି ପୋଲିସ ଅଫିସର ରତନ ଲାଲ ଭାରଗବ କହିଛନ୍ତି। ‘ଚିଟିଂ ଚପଲ’କୁ ବହୁ ଚତୁରତାର ସହ ପ୍ରସ୍ତୁତ କରାଯାଇଛି। କିଛି ରିପୋର୍ଟ ମୁତାବକ, ପରୀକ୍ଷାର୍ଥୀଙ୍କୁ ଏହି ଚପଲ ୨ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି।

ଜଣେ ପରୀକ୍ଷାର୍ଥୀ ତାଙ୍କ ଚପଲରେ ଏକ ଯନ୍ତ୍ର ଲଗାଇ ଚିଟିଂ କରୁଥିଲେ। ଆମେ ତାଙ୍କୁ ପରୀକ୍ଷା ଆରମ୍ଭରୁ ଧରିଥିଲୁ। ଆମେ ତୁରନ୍ତ ଅନ୍ୟ ଜିଲାକୁ ଖବର ଦେଇଥିଲୁ। ଆମେ ତାଙ୍କ ସମସ୍ତ ଲିଙ୍କ୍‌ ଯାଞ୍ଚ କରୁଛୁ। ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ତାହାର ପତ୍ତା ଲଗାଉଛୁ। ପରୀକ୍ଷାର ପରବର୍ତ୍ତୀ ଫେଜରେ କେହି ଚପଲ, ଜୋତା କିମ୍ବା ମୋଜା ପିନ୍ଧି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିପାରିବେ ନାହିଁ ବୋଲି ଆଜମେର ପୋଲିସ ଅଫିସର ଜଗଦୀଶ ଚନ୍ଦ୍ର ଶର୍ମା କହିଛନ୍ତି।

Share