କ୍ୟାପଟେନ କୁଲଙ୍କ ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ କାର୍ଯ୍ୟକଳାପ, ଫ୍ୟାଶନ ଓ ହେୟାର ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ କ୍ୟାପଟେନ କୁଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଧୋନୀଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ବ୍ଲୁ ଟିକ୍‌କୁ ହଟାଇ ଦିଆଯାଇଛି। କୁହାଯାଉଛି, ସେ ଦୀର୍ଘ ଦିନ ଧରି ନିଜ ଟୁଇଟର ବ୍ୟବହାର କରିନାହାଁନ୍ତି। ଏହି କାରଣରୁ ତାଙ୍କ ଟୁଇଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଦିଆଯାଇଛି। ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ଧୋନୀ ଅଛନ୍ତି କିନ୍ତୁ ସେ ବହୁତ କମ୍‌ ସକ୍ରିୟ ରହିଥାନ୍ତି। ଧୋନୀଙ୍କ ଶେଷ ଟୁଇଟ ଜାନୁୟାରୀ ୮ରେ ରହିଥିଲା। ଏହାପରେ ସେ କୌଣସି ଟୁଇଟ କରି ନ ଥିବା ଜଣାପଡ଼ିଛି। ୨୦୧୮ଠାରୁ ସେ ଟୁଇଟରରେ ଖୁବ କମ୍‌ ଟୁଇଟ କରୁଛନ୍ତି। ଧୋନୀଙ୍କ ଟୁଇଟରରେ ପ୍ରାୟ ୮.୨ ମିଲିୟନ୍‌ ଫଲୋଅର୍ସ ଅଛନ୍ତି। ସୂଚନାଯୋଗ୍ୟ, ଧୋନୀ ଏବେ ଅନ୍ତର୍ଜାତୀୟ କ୍ରିକେଟ ଖେଳୁ ନାହାଁନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ପ୍ରାୟ ଏକ ବର୍ଷ ବିତିଗଲାଣି। ୨୦୨୦ ଜାନୁଆରୀ ୧୫ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି। ୨୦୧୯ରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପରେ ନ୍ୟୁଜିଲାଣ୍ଡ ସହ ସେମିଫାଇନାଲ ପରାଜୟ ପରେ ଧୋନୀ କ୍ରିକେଟଠାରୁ ଦୂରରେ ଥିଲେ। ସେ ସେହି ସମୟରେ ଘରୋଇ ମ୍ୟାଚ ମଧ୍ୟ ଖେଳି ନ ଥିଲେ ଏବଂ ସେନା ସହ ଟ୍ରେନିଂରେ ଥିଲେ। ଏହାପରେ ତାଙ୍କୁ ଆଇପିଏଲ ୨୦୨୦ରେ ଖେଳିଥିବାର ଦେଖିବାକୁ ମିଳିଥିଲା।

 

Share