ମୋଇଜ୍ଜୁଙ୍କୁ ବଡ ଝଟ୍‌କା: ମେୟର ନିର୍ବାଚନରେ ଶାସକ ଦଳ ପରାଜିତ

ମାଲେ,୧୪।୧: ଭାର-ମାଳଦ୍ବୀପ ବିବାଦ ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ମିଳିଛି ବଡ ଝଟକା । ରାଜଧାନୀ ମାଲେ ମେୟର ନିର୍ବାଚନରେ ମହମ୍ମଦ ମୋଇଜ୍ଜୁଙ୍କ ପାର୍ଟିକୁ ବଡ ପରାଜୟ ମିଳିଛି। ନିର୍ବାଚନରେ ଭାରତ ସମର୍ଥିତ ଦଳ ମାଳଦ୍ୱୀପୟାନ ଡେମୋକ୍ରାଟିକ ପାର୍ଟି ବା ଏମଡିପିକୁ ପ୍ରଚଣ୍ଡ ବହୁମତ ମିଳିଛି ।
ଏମଡିପି ପ୍ରାର୍ଥୀ ଆଦମ ଆଜିମ ମାଲେର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଆଦମ, ମୋଇଜ୍ଜୁଙ୍କ ଦଳ ପିପୁଲ୍ସ ନ୍ୟାଶନାଲ କଂଗ୍ରେସର ନେତା ଐଶିଆଥ ଆଜିମା ଶକୁରଙ୍କୁ ହରାଇଛନ୍ତି । ମାଳଦ୍ବୀପ ମିଡିଆ ଆଜିମଙ୍କ ବିଜୟକୁ ବଡ ବିଜୟଭାବେ ନାମିତ କରିଛି ।

ସୂଚନାଥାଉ କି, ମୋଇଜ୍ଜୁ ରାଷ୍ଟ୍ରପତି ହେବା ପୂର୍ବରୁ ଏଠାରେ ମେୟର ଥିଲେ । ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ସେ ଏଠାରୁ ଇସ୍ତଫା ଦେଇଥିଲେ। ନିର୍ବାଚନରେ ସେ ଭାରତ ସମର୍ଥିତ ଏମଡିପି ନେତା ମହମ୍ମଦ ସୋଲିହଙ୍କୁ ପରାସ୍ତ କରିଥିଲେ ।

ସୂଚନାଯୋଗ୍ୟ, ମାଲେ ମେୟର ନିର୍ବାଚନରେ ମୋଟ ୪୧ଟି ବାଲାଟ ବକ୍ସର ଗଣତି ହୋଇଥିଲା। ଏଥିରେ ଆଜିମ ୫,୩୦୩ ଅଧିକ ଭୋଟ ପାଇ ପ୍ରଚଣ୍ଡ ବିଜୟ ହାସଲ କରିଛନ୍ତି । ସେହିପରି ଐଶିଆଥ ଆଜିମାଙ୍କୁ ମାତ୍ର ୩, ୩୦୧ ଭୋଟ ମିଳିଛି।

Share