ଆସନ୍ତାକାଲିଠୁ ଘରକୁ ଘର ବୁଲିବେ ବିଏଲଓ; ଏମାନଙ୍କୁ ଚିହ୍ନଟ କରି ଭୋଟର ତାଲିକାରୁ ଦିଆଯିବ ବାଦ୍‌

ଛତ୍ରପୁର , ୨୯।୫(ଦିଲ୍ଲୀପ ସାମଲ ): ରାଜ୍ୟରେ ଏକ ସ୍ବଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ସଘନ ସଂଶୋଧନ(ଏସଆଇଆର) କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ଗଞ୍ଜାମ ପ୍ରଶାସନ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଜୋରଦାର କରିଛି । ଏହି ଅବସରରେ ଛତ୍ରପୁର ଜିଲାପାଳ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରିଥିଲା । ନିଜେ ଗଞ୍ଜାମ ଜିଲାପାଳ ଭି.କିର୍ତ୍ତୀ ଭାସନ ଉପସ୍ଥିତ ରହି ଏହାର ଉଦଘାଟନ କରିବା ସହ ସହର ପରିକ୍ରମାରେ ସାମିଲ ହୋଇଥିଲେ । ଏହି ଅଭିଯାନର ମାଧ୍ୟମରେ ବିଶେଷ କରି ନୂତନ ଭୋଟରଙ୍କ ନାମ ପଞ୍ଜିକରଣ, ଅଯୋଗ୍ୟଙ୍କୁ ବାଦ ଦେବା , ମୃତ୍ୟୁ ବ୍ୟକ୍ତିଙ୍କ ନାମ ବାଦ୍‌ , ନକଲି ନାମ ଗୁଡିକୁ ଚିହ୍ନଟ କରି ତାଲିକାରୁ ବାଦ୍‌ ସହ ତାଲିକାରେ ଥିବା ତ୍ରୁଟି ସଂଶୋଧନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆସନ୍ତାକାଲି ଠାରୁ ଘରକୁ ଘର ବୁଲି ଯାଞ୍ଚ କରିବେ ବିଏଲଓ । ସେମାନଙ୍କୁ ସମସ୍ତ ଜନସାଧାରଣମାନେ ସହଯୋଗର କାମନା କରିଥିଲେ ଜିଲାପାଳ । ସର୍ଭେ ପ୍ରକ୍ରିୟାକୁ ସ୍ବଚ୍ଛ, ସରଳ ଓ ଗୁଜୁବମୁକ୍ତ ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ । ଏହି ସଂଶୋଧନ ପ୍ରକ୍ରିୟା ଶେଷ ହେବାପରେ ଏକ ଚିଠା ତାଲିକା ପ୍ରକାଶ ପାଇବ । ୩୦ ମେ ଠାରୁ ୨୮ ଜୁନ ପର୍ଯ୍ୟନ୍ତ ବିଏଲଓଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କରିବେ । ୫ ଜୁଲାଇରେ ଖସଡା ଭୋଟର ତାଲିକା ପ୍ରକାଶ ପାଇବ ।

୫ ଜୁଲାଇ ରୁ ୪ ଅଗଷ୍ଟ ପ୍ରର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲର ସମୟସୀମା ରହିଛି । ୫ ଜୁଲାଇ ରୁ ୨ ସେପ୍ଟମ୍ବର ପ୍ରର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ, ଦାବି ଓ ଆପତ୍ତି ନିଷ୍ପତ୍ତି ରହିଥିବା ବେଳେ ୬ ସେପ୍ଟମ୍ବର ୨୦୨୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ । ଏହି ଅବସରରେ ଜିଲାପାଳ ଭୋଟର ତାଲିକାକୁ ଅଧିକ ସଠିକ, ସ୍ବଚ୍ଛ ଓ ଅଦ୍ୟତନ କରିବା ଏସଆଇଆର ୨୦୨୬ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ସୀମା ଘୋଷଣା କରାଯାଇଛି । ତେଣୁ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଅନୁରୋଧ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ଭୋଟର ତଥ୍ୟ ଯାଂଚ କରିବା ସହ ଆବଶ୍ୟକ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି । ସଠିକ୍‌ ଭୋଟର ତାଲିକା ହେଉଛି ଶକ୍ତିଶାଳୀ ଗଣତନ୍ତ୍ରର ଭିତ୍ତି। ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବର ଜାରି ରହିଛି। ଏହି ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଜିଲାପାଳ କାର୍ଯ୍ୟାଳରୁ ବାହାରି ସହର ପରିକ୍ରମା କରିଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଦେବବତ ପଣ୍ଡା, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ, ଡେପୁଟି କଲେକ୍ଟର(ନିର୍ବାଚନ) ଡଃ ଅଶୋକ କୁମାର ଖଣ୍ଡା,ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି,ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ,ଅତିରିକ୍ତ ଉପଜିଲାପାଳ ପାର୍ଥ ସାରଥୀ ହାଁସଦା, ଛତ୍ରପୁର ପୈାରପାଳିକା ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ବିଏଲଓ,ଶିକ୍ଷକ/ଶିକ୍ଷୟିତ୍ରୀ,ବରି ନାଗରିକ ଉପସ୍ଥିତ ଥିଲେ ।

 

Share