ସମସ୍ୟାରେ ଛନ୍ଦିହୋଇ ରହିଛି ରକ୍ତତୀର୍ଥ ମାଟି

ଖଇରା, ୨୮।୯(ଉତ୍କଳବନ୍ଧୁ ପଣ୍ଡା)ରାତି ପାହିଲେ ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ଭାବେ ପରିଚିତ ତୁଡିଗଡିଆ ମାଟିରେ ୧୯୪୨ ମସିହା ସେପ୍ଟେମ୍ବର ୨୮ତାରିଖରେ ଶହୀଦ ହୋଇଥିବା ୩ ଶହୀଦ ରଘୁ ବେହେରା, କେଳୁ ସାହୁ ଓ ମକର ଲେଙ୍କାଙ୍କୁ ତୋପ ସଲାମୀ ପ୍ରଦାନ କରାଯିବ। ସନ୍ଧ୍ୟାରେ ନେତା, ମନ୍ତ୍ରୀ ପ୍ରଶାସକମାନେ ସେମାନଙ୍କର ୮୧ତମ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ କରିବା ସହ ଏ ଅଞ୍ଚଳରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ କିଛି ପ୍ରତିଶ୍ରୁତି ଦେବେ।  ହେଲେ ଏହି ଦିନ ଅତିକ୍ରମ ହୋଇଯିବା ପରେ ପୁଣି ଥରେ ସମସ୍ୟା ତାଲିକା ପୂର୍ବଭଳି ଲମ୍ବିଯିବ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି।  ଏବେ ସନ୍ଧ୍ୟା ହେଲେ ଅପରାଧିକ କାର୍ଯ୍ୟ ସାଙ୍ଗକୁ ନିଶାଗ୍ରସ୍ତଙ୍କ ଆଡ୍ଡା ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି।
ଦୀର୍ଘଦିନ ଧରି ଏଠାରେ ଏକ ଥାନା କିମ୍ବା ଫାଣ୍ଡି ପ୍ରତିଷ୍ଠା କରିବାକୁ ଦାବି ହେଇଆସୁଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ଅଟକିଛି। ସେହିଭଳି ଖଇରାଡିହିର ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବୈଦ୍ୟନାଥ ରାଉତଙ୍କ ଦ୍ୱାରା ନିଜସ୍ବ ଉଦ୍ୟମରେ ଖୋଲାଯାଇଥିବା ହୋମିଓପାଥି କେନ୍ଦ୍ର ବନ୍ଦ ହୋଇ ପଡିଥିବା ବେଳେ ଏହାକୁ ସରକାରୀ ଭାବେ ପୁନଃ କାର୍ଯ୍ୟକ୍ଷମ କରାଯିବା, ଶହୀଦଙ୍କ ଗ୍ରାମକୁ ସଂଯୋଗୀକରଣ ତେନ୍ତୁଳିଆପଡା-ଡାଲଙ୍ଗ ମୁନିପଦା ରାସ୍ତାକୁ ପକ୍କା କରିବା, ଡ୍ରେନେଜ ବ୍ୟବସ୍ଥା ପୁନରୁଦ୍ଧାର, ଶହୀଦ ସ୍ତମ୍ଭ ନିକଟରେ ଥିବା ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ୱରାନ୍ବିତ କରାଯିବା ଭଳି ବହୁ ପୁରୁଣା ଦାବିର ଏ ପର୍ଯ୍ୟନ୍ତ ସାମାଧାନ ହୋଇପାରିନାହିଁ।
ଏବେ ଡ୍ରେନେଜ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ସାମାନ୍ୟ ବର୍ଷାରେ ଦୋକାନରେ ପାଣି ପଶିବା ଯୋଗୁ ବଜାରବାସୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।  ଏ ସମ୍ପର୍କରେ ତୁଡିଗଡିଆ ବଜାର କମିଟି ସମ୍ପାଦକ ବସନ୍ତ କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ ବହୁ ସମସ୍ୟା ଦେଇ ତୁଡଗଡିଆ ଅଞ୍ଚଳ ଗତି କରୁଛି।  ଦୀର୍ଘଦିନରୁ ଫାଣ୍ଡି ପ୍ରତିଷ୍ଠା ଦାବି ଏ ପର୍ଯ୍ୟନ୍ତ ପୂରଣ ହେଉ ନ ଥିବାରୁ ପ୍ରତ୍ୟେକ ଦିନ ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ସାଧାରଣ ଜନଜୀବନକୁ ଅତିଷ୍ଠ କରୁଛି। ଶହୀଦ ଜନକଲ୍ୟାଣ ପରିଷଦ ସଭାପତି ବିଷ୍ଣୁମୋହନ ଶତପଥୀଙ୍କୁ ପଚାରିବାରେ ସ୍ଥାନୀୟ ବିଧାୟକଙ୍କ ପ୍ରଚେଷ୍ଟାରେ ଉକ୍ତ ପର୍ଯ୍ୟଟନ କ୍ଷେତ୍ରରେ ଅନେକ କିଛି ବିକାଶମୂଳକ କାମ ହୋଇଥିଲେ ହେଁ ପାଣି ନିଷ୍କାସନ ପାଇଁ ପୁରୁଣା ପୋଲକୁ ଭାଙ୍ଗି ନୂତନ ପୋଲ ନିର୍ମାଣ ଏବଂ ଥାନା ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି।