ଧାନ ମଣ୍ଡି ନିକଟରୁ ମିଳିଲା ରକ୍ତାକ୍ତ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କୋକସରା,୨୯ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଡାଲଗୁମା ଗ୍ରାମ ଧାନ ମଣ୍ଡି ନିକଟରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଡାଲଗୁମା ଗାଁର ଶୁକଦେବ ଧରୁଆ(୫୫)। ସୂଚନା ଅନୁଯାୟୀ, ଶୁକଦେବ ଗାଁ ମୁଣ୍ଡରେ ଥିବା ଏକ ବଗିଚାରେ ଜଗୁଆଳି ଭାବେ କାମ କରୁଥିଲେ।

ସବୁଦିନ ସେ ସକାଳୁ ଘରକୁ ଫେରିଥାନ୍ତି। ହେଲେ ସୋମବାର ସକାଳୁ ନ ଫେରିବାରୁ ତାଙ୍କ ଝିଅ ରୁକ୍ମଣୀ ଧରୁଆ ଫୋନ କରିବା ପରେ ମଧ୍ୟ କଲ ଉଠାଇ ନ ଥିଲେ। ଏହାପରେ ରୁକ୍ମଣୀ ବଗିଚା ନିକଟରେ ପହଞ୍ଚି ଘର ଦୁଆର ସାମ୍ନାରେ ଖଟିଆ ଉପରେ ବାପାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ।

ଖବର ପାଇ କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। କେହି ତାଙ୍କୁ ହତ୍ୟାକରି ଖଟିଆରେ ଶୁଆଇଦେଇଥିବା ରୁକ୍ମଣୀ ଅଭିଯୋଗ କରିଛନ୍ତି। ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଭର୍ଷିତା ଆଡେପୁ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ଛାନ୍‌ଭିନ ଆରମ୍ଭ କରିଥିଲେ। ଏହାପରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରାଯାଇଥିଲା। ପୋଲିସ ଏକ ମାମଲା (ନଂ.୧୩୫/୨୬) ରୁଜୁକରି ଡାଲଗୁମା ଗ୍ରାମର ଜଣେ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

Share