ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତଦେହଟି ଏକ ବୁଦା ଭିତରେ ପଡ଼ିଥିବା ଅବସ୍ଥାରେ ଥିଲା। ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ମୃତଦେହକୁ ବୁଦା ଭିତରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

ସ୍ଥାନୀୟ ଲୋକେ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ଡୁଙ୍ଗୁରିପାଲି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇବା ସହ ଘଟଣାସ୍ଥଳରୁ ବିଭିନ୍ନ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରାଯାଇଛି।

ମୃତ ଯୁବକଙ୍କ ପରିଚୟ ଓ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

 

Dharitri – Odisha’s No.1 Odia Daily