ରାଜନୀତିରୁ ବଢୁଛି ରକ୍ତପାତ

ଢେଙ୍କାନାଳ ଅଫିସ, ୧୭।୫: ରାଜନୈତିକ ଗୋଷ୍ଠୀ କନ୍ଦଳରୁ ବଢୁଛି ରକ୍ତପାତ। ଗଡୁଛି ମୁଣ୍ଡ। ହତ୍ୟାକାଣ୍ଡର ଅଭିଯୁକ୍ତମାନେ ଧରାପଡୁଛନ୍ତି ସତ, ହେଲେ ପରଦା ପଛର ଖଳନାୟକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ ପୋଲିସ। ଆକ୍ଷେପ-ପ୍ରତିଆକ୍ଷେପ ରାଜନୀତି, ଠିକାଦାରି କାରବାର, ଦଳୀୟ ବିବାଦ ଏଭଳି ହତ୍ୟାକାଣ୍ଡର ପ୍ରମୁଖ କାରଣ ବୋଲି କୁହାଯାଉଛି। ଢେଙ୍କାନାଳ ଜିଲାର ରାଜନୀତିକୁ ନିୟନ୍ତ୍ରଣରେ ରଖିବାକୁ ଏଭଳି ଜଘନ୍ୟକାଣ୍ଡ ଘଟାଯାଉଥିବା ଚର୍ଚ୍ଚା ହେଉଛି। ୨୦୧୩ରୁ ଅଦ୍ୟାବଧି ଜିଲାରେ ଏଭଳି ୪ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଛି। କେବଳ କାମାକ୍ଷାନଗର ଉପଖଣ୍ଡ ତଥା ନିର୍ବାଚନମଣ୍ଡଳୀରେ ଯାଇଛି ୩ଜଣଙ୍କ ଜୀବନ। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଏଭଳି ହିଂସା ରୋକିବା ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଥିବାବେଳେ ଗୋଇନ୍ଦା ସଂସ୍ଥା ଜରିଆରେ ବିବାଦୀୟ ତଥା ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରାଜନେତାଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ଢେଙ୍କାନାଳ ଜିଲାର ଅନ୍ୟତମ ସମ୍ବେଦନଶୀଳ କାମାକ୍ଷାନଗର ନିର୍ବାଚନମଣ୍ଡଳୀ ଓ ଉପଖଣ୍ଡରେ ୨୦୧୩ ପରଠାରୁ ରାଜନୈତିକ ଗୋଷ୍ଠୀ ବିବାଦଜନିତ ହତ୍ୟାକାଣ୍ଡ ବଢ଼ିବାରେ ଲାଗିଛି। କାମାକ୍ଷାନଗର ଥାନା ତଥା ଭୁବନ ବ୍ଲକର ଦୀଘି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ରାଉତଙ୍କୁ ଗତ ମେ’ ୭ ରାତିରେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହାପଛର କାରଣ ରାଜନୈତିକ କନ୍ଦଳ, ଠିକାଦାରି କାମ ବିବାଦ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିପୂର୍ବରୁ ୨୦୨୧ରେ କାମାକ୍ଷାନଗର ବ୍ଲକ ବାରୁଅଁା (କା) ପଞ୍ଚାୟତର ଦୀପକ ମହନ୍ତ ହତ୍ୟାର ଶିକାର ହୋଇଥିଲେ। ଦୀପକ ଦୀର୍ଘଦିନ ଧରି ପଞ୍ଚାୟତ ପ୍ରତିନିଧି ଥିଲେ। ୨୦୧୮ରେ ଜିଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳିକରି ହତ୍ୟା କରାଯାଇଥିଲା। ସେ କାର୍‌ରେ ଘରକୁ ଫେରୁଥିବାବେଳେ କାମାକ୍ଷାନଗର ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଅଭିଯୁକ୍ତଙ୍କ ଆଖିବୁଜା ଗୁଳିଚାଳନାରେ ସେ ଟଳି ପଡ଼ିଥିଲେ। ଏହି ହତ୍ୟାକାଣ୍ଡରେ ସୁପାରି କିଲର, ସାର୍ପସୁଟରଙ୍କୁ ବ୍ୟବହାର କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିଲା। ଅନୁରୂପ ଭାବେ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଢେଙ୍କାନାଳ ସଦର ବ୍ଲକ ତରଭା ପଞ୍ଚାୟତ ତଥା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭାଜପା ସମର୍ଥକ ସଲମନ ରାଉତଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ୨୦୧୩ ପୂର୍ବରୁ ହିନ୍ଦୋଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନବଘନ ସାହୁଙ୍କୁ ତାଙ୍କ ଗ୍ରାମ ଗଞ୍ଜରାରେ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା। ସେ ପ୍ରାତଃଭ୍ରମଣ ସାରି ଫେରୁଥିବାବେଳେ ଦୁର୍ବୃତ୍ତମାନେ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ। ଅନୁରୂପ ଭାବେ ରାଜନୈତିକ ଗୋଷ୍ଠୀ କନ୍ଦଳରୁ ସଦର ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ରାଉତଙ୍କ ଜୀବନ ଯାଇଥିଲା। ସଲମନ୍‌ଙ୍କୁ ବାଦ୍‌ଦେଲେ ହତ୍ୟାର ଶିକାର ହୋଇଥିବା ଅନ୍ୟମାନେ ଶାସକ ବିଜେଡିର ଦୃଢ଼ ସମର୍ଥକ ଥିଲେ। ଏସବୁ ସମ୍ବେଦନଶୀଳ ଘଟଣା ପଛରେ ପ୍ରଭାବଶାଳୀଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି। ତେବେ ରାଜନୈତିକ ଚାପ କାରଣରୁ ପୋଲିସ ନାମକୁ ମାତ୍ର କେତେଜଣ ଅଭିଯୁକ୍ତଙ୍କୁ ଧରି ନୀରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାବେଳେ ଏବେଠାରୁ ରାଜନୈତିକ ବୟାନବାଜି ଆରମ୍ଭ ହେଲାଣି। ସୋସିଆଲ୍‌ ମିଡିଆରେ ଆକ୍ଷେପ-ପ୍ରତିଆକ୍ଷେପ ବଢ଼ିବାରେ ଲାଗିଛି। ଠିକାଦାରି କାମକୁ ନେଇ ବିବାଦୀୟ ଘଟଣାମାନ ଘଟିବାରେ ଲାଗିଛି, ଯାହା ଆଗକୁ ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ଏହାକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗୋଇନ୍ଦା ତଥ୍ୟ ଆଧାରରେ ବିବାଦୀୟ ରାଜନୈତିକ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ରାଜନୈତିକ ହିଂସା ରୋକିବା ଲାଗି ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି। ପ୍ରତି ଅଞ୍ଚଳରେ ଥାନାଧିକାରୀଙ୍କୁ ରାଜନୈତିକ ଗଣ୍ଡଗୋଳ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ପାଇଁ କୁହାଯାଇଛି। ବିଶେଷ କରି ଭୁବନ, କଙ୍କଡ଼ାହାଡ଼, ପରଜଙ୍ଗ ଓ କାମାକ୍ଷାନଗରରେ ପୂର୍ବରୁ ଏଭଳି ଘଟଣାମାନ ଘଟିଥିବାରୁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି।