ପୋଲିସ ମାଡ଼ରେ ଯୁବକଙ୍କ ଆଖିରୁ ବୋହିଲା ରକ୍ତ

ବାରିପଦା ଅଫିସ,୨୯। ୧୦: ପୋଲିସ ମାଡ଼ରେ ଯୁବକଙ୍କ ଆଖିରୁ ବୋହୁଛି ରକ୍ତ, ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହର ୨୫ ନଂ. ଓ୍ବାର୍ଡର ରହୁଥିବା ଯୁବକ ସିପୁ ଦାସ(୨୧)ଙ୍କ ସହ । ବୁଧବାର ସକାଳ ୧୦ଟା ସମୟରେ ପାଲବଣି ବାଇପାସ ସ୍ଥିତ ଗୋଲେଇରେ ହେଲ୍‌ମେଟ ଚେକିଂ ଚାଲିଥିଲା । ଏହି ସମୟରେ ସିପୁ ଔଷଧ ଆଣିବାକୁ ବଜାରକୁ ଯାଉଥିଲେ । ହେଲମେଟ ପିନ୍ଧି ନ ଥିବାରୁ ପୋଲିସ ଜଣକ ତାଙ୍କୁ ଆକ୍ରମଣ କରିବା ପରେ ଡାହାଣ ପଟ ଆଖିରେ ଶକ୍ତ ଆଘାତ ଲାଗିଥିଲା । ଫଳରେ ତାଙ୍କ ଆଖିରୁ ରକ୍ତ ସ୍ରାବ ହେବା ଦେଖି ଫାଇନ ଦେବାକୁ ପଡିବ ନାହିଁ ବୋଲି କହି ପଠାଇ ଦେଇଥିଲେ । ଆଖିର ଏଭଳି ଅବସ୍ଥାରେ ସେ ଡାକ୍ତର ପାଖକୁ ଯାଇ ଚିକିତ୍ସା କରିଛନ୍ତି । ଘଟଣା ସମ୍ପର୍କରେ ବାରିପଦା ଟାଉନ ଥାନା ଆଇଆଇସିଙ୍କୁ ଜଣାଇବା ପରେ ଚିକିତ୍ସା ପାଇଁ ଖର୍ଚ୍ଚ ଦିଆଯିବ ବୋଲି କହିଛନ୍ତି । ତେବେ ସିପୁ ଦୀର୍ଘ ୬ମାସ ଧରି କାମ ନ ପାଇ ଘରେ ବସିଛନ୍ତି । ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଇ ଲକ୍‌ଡାଉନ ସମୟରେ ଘରେ ରହୁଥିବା ବେଳେ ଏପରି ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ପୋଲିସର ଏଭଳି ଆଚରଣକୁ ସାଧାରଣରେ ନିନ୍ଦା କରାଯିବା ସହିତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ଏ ନେଇ ଆଇଆଇସି ବୀରେନ୍ଦ୍ର ସେନାପତି କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିବା ସହ ଏସ୍‌ପିଙ୍କୁ ଅବଗତ କରାଯାଇଛି।