ପାଣି ପାଇଁ ବୋହିଲା ରକ୍ତ: ଦୁଇ ମୃତ, ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ବ୍ରହ୍ମଗିରି,୧୧।୧୦( ଡି.ଏନ୍‌. ଏ) : ପିଇବା ପାଣି ସଂଯୋଗ ନେବାକୁ କେନ୍ଦ୍ରକରି ରବିବାର ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ତେବେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣା ଭୋଇ ସାହିରେ।
ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ନିରଞ୍ଜନ ଭୋଇ ନେଇଥିବା ପାଣି ଲାଇନରୁ ତାଙ୍କ ପଡ଼ୋଶୀ ସୁରେନ୍ଦ୍ର ଭୋଇ (୫୮) ପାଣି ଲାଇନ ସଂଯୋଗ ନେବାକୁ ଚାହିଁ ଥିଲେ । ଏ ନେଇ ନିରଞ୍ଜନ ବାରଣ କରିବାରୁ ଦୁଇ ପରିବାର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇ ବିବାଦ ଦେଖାଦେଇଥିଲା। ରବିବାର ସକାଳୁ ଦୁଇ ପରିବାର ମହିଳାଙ୍କ ମଧ୍ୟରେ ବଚସାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରସ୍ପର ଭୁଜାଲି, ତେଣ୍ଟା, କୁରାଢ଼ି ଦ୍ବାରା ମୁହାଁମୁହିଁ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା। ଏଥିରେ ଦୁଇ ପରିବାର ସୁରେନ୍ଦ୍ର ଏବଂ ଶରତ ମୃତ୍ୟୁ ଘଟିଥିବା ବେଳେ ଉଭୟ ପରିବାରୁ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଖବରପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ପୁରୀ ମୁଖ୍ୟଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ କରୁଛି।