ମାଟି ପକାଇ ଜଳ ନିଷ୍କାସନ ପଥ ଅବରୋଧ

ବରୀ,୧୭ା୭(ମହେନ୍ଦ୍ର ସ୍ବାଇଁ): ବରୀ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ବାମପାର୍ଶ୍ୱରେ ଚାଷଜମିକୁ ଜଳପ୍ରବାହିତ ଓ ଜଳ ନିସ୍କାସନ କରିବା ପାଇଁ ବାଲିବିଲ ପଞ୍ଚାୟତସ୍ଥିତ ଗାନ୍ଧି ଛକଠାରୁ କଳାମାଟିଆ ପର୍ଯ୍ୟନ୍ତ କଲର୍ଭଟ ନିର୍ମାଣ କରାଯାଇଛି। ସାରନ୍ଦାପାଟରେ ବର୍ଷା ଜଳ ଜମି ରହି ଶହଶହ ହେକ୍ଟର ଧାନ ଫସଲ ନଷ୍ଟ ହେଉଥିବାରୁ ଏହି କର୍ଲଭଟ ବ୍ୟବସ୍ଥା କରାଯାଇଛି। କିନ୍ତୁ ସ୍ଥାନୀୟ ଅନ୍ୟାସୀପୁର ଗ୍ରାମର ଜଣେ ବ୍ୟକ୍ତି କଲର୍ଭଟ ଉପରେ ମାଟି ପକାଇ ଜଳ ନିସ୍କାସନ ପଥକୁ ବନ୍ଦ କରଛନ୍ତି। ଫଳରେ ବର୍ତ୍ତମାନର ବିଓଳି ଧାନ ଫସଲ ପାଣିରେ ବୁଡି ନଷ୍ଟ ହେବାରେ ଲାଗିଛି।
ଏହାକୁ ନେଇ ସ୍ଥାନୀୟ କେଁକରଡ଼ା, ଅନ୍ୟାସୀପୁର, କ୍ଷେମେଶ୍ୱର ଗ୍ରାମର ଶତାଧିକ ଚାଷୀ ପ୍ରତିବାଦ କରିଛନ୍ତି। ବନ୍ଧ କଟାଯାଇ ଜଳ ନିସ୍କାସନ ବ୍ୟବସ୍ଥା ନ ହେଲେ ଆଗାମୀ ଦିନରେ ରାସ୍ତାରେ ଧାରଣା ଦେବେ ବୋଲି ଚାଷୀ ପ୍ରଦୀପ ଜେନା, ଧନେଶ୍ୱର ସାମଲ, ପ୍ରତାପ ମଲିକ, ଫକୀର ମଲିକ, ଫକୀର ଜେନା, ରମେଶ ମଲିକ, ରାମକୃଷ୍ଣ ଦାସ, ମନୁ ସେନାପତି, ସହଦେବ ସାମଲ ପ୍ରମୁଖ ଯାଜପୁର ଜିଲାପାଳ, ପୂର୍ତ୍ତ ବିଭାଗ ଅଧିକାରୀ ଓ ବରୀ ତହସିଲଦାରଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନରୋତ୍ତମ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ସ୍ଥାନୀୟ ଲୋକେ ଫୋନ୍‌ ମାଧ୍ୟମରେ ଅଭିଯୋଗ କରିଛନ୍ତି। ସୋମବାର ବରୀ ତହସିଲଦାରଙ୍କ ଉପସ୍ଥିତିରେ ଏହାର ତଦନ୍ତ କରାଯିବ। ଯଦି ଘଟଣାର ସତ୍ୟତା ଥାଏ ତାହେଲେ ଚାଷୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଜଳ ନିସ୍କାସନ ପାଇଁ ବରୀ ବିଧାୟିକା ସୁନନ୍ଦା ଦାସ ଡ୍ରେନେଜ୍‌ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଯେଭଳି ଚାଷୀମାନେ କୌଣସି ପରିସ୍ଥିତିରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ପାଳନ କରାଯିବ ବୋଲି ବିଧାୟିକା ମତ ରଖିଛନ୍ତି।