ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ, ଜିଲା ପରିଷଦ ସଭ୍ୟ ହାତାହାତି

ବରୀ,୧୭ା୩(ଡି.ଏନ.ଏ.):ଯାଜପୁର ଜିଲା ବରୀ ବ୍ଲକ୍‌ ଅଧୀନ ମହାକାଳପଡ଼ା ପଞ୍ଚାୟତ ମିତ୍ରସେନପୁର ଗ୍ରାମରେ ଏକ ଖଳା ନିର୍ମାଣ କାର୍ଯ୍ୟକୁ ନେଇ ଗୁରୁବାର ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ବିପ୍ଳବ ପରିଜା ଓ ୨୨ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟ ଦିଲୀପ ମହାନ୍ତିଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଘଟଣାକୁ ନେଇ ଉଭୟ ହାତାହାତି ହେବା ସହ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଉଭୟଙ୍କୁ ଥାନାକୁ ଡାକି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଖଳା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଜାଣି କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ଠିକାଦାରଙ୍କୁ ତାଗିଦ କରିଥିଲେ। ଏଭଳି ନିମ୍ନମାନର କାର୍ଯ୍ୟ ହେବା ଠିକ୍‌ ନୁହେଁ। କାର୍ଯ୍ୟ ଠିକ୍‌ରେ ନ ହେଲେ ବିଲ୍‌ କରିବେ ନାହିଁ ବାଲି ରୋକ୍‌ ଠୋକ୍‌ ଶୁଣାଇ ଦେଇଥିଲେ। ଏହିସମୟରେ ଜିଲା ପରିଷଦସଭ୍ୟ ପହଞ୍ଚତ୍ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏତିକିବେଳେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। କନିଷ୍ଠ ଯନ୍ତ୍ରୀ ପରିଜା ଉତ୍‌କ୍ଷିପ୍ତ ହୋଇ ଜିଲାପରିଷଦ ସଭ୍ୟଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଫଳରେ ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ କେତେଜଣ ଲୋକେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଏକ ରୁଦ୍ଧ କୋଠରୀରେ ଅଟକ ରଖିଥିଲେ। ବ୍ଲକ୍‌ ପ୍ରଶାସନଠାରୁ ଖବର ପାଇ ପୋଲିସ ପହଞ୍ଚତ୍ କନିଷ୍ଠ ଯନ୍ତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। କନିଷ୍ଠ ଯନ୍ତ୍ରୀ ପରିଜାଙ୍କୁ ଜିଲା ପରିଷଦସଭ୍ୟ ମହାନ୍ତି ଦୁର୍ବ୍ୟବାର କରିବା ସହ ଆକ୍ରମଣ କରିଥିବା ନେଇ ଯନ୍ତ୍ରୀ ପରିଜା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସେହିପରି କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ତଦାରଖ ସମୟରେ ଜିଲା ପରିଷଦସଭ୍ୟ ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଜିଲା ପରିଷଦର ସଭ୍ୟଙ୍କ ପକ୍ଷରୁ ହୋଇଛି। ଖବର ଲେଖା ହେବାବେଳକୁ କନିଷ୍ଠ ଯନ୍ତ୍ରୀ ପରିଜା ଓ ଜିଲା ପରିଷଦ ସଭ୍ୟ ମହାନ୍ତି ଥାନାରେ ଥିଲେ। ଏ ସମ୍ପର୍କରେ ବରୀ ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କୁ ପଚାରିବାରେ ସେ କହିଛନ୍ତି, ଘଟଣା ସମ୍ପର୍କରେ ୨ ଅଭିଯୋଗ ହସ୍ତଗତ ହୋଇଛି। ଉଭୟଙ୍କ ଅଭିଯୋଗକୁ ଭିତ୍ତିକରି ତଦନ୍ତ କରାଯିବ। ଏହାପରେ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।