ପାଟଣା,୨୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୪୧ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗକୁ ପଦୋନ୍ନତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ପାଟଣା ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ମିଳିଥିବା ବେଳେ ଅନ୍ୟ ୧୧ ଜଣଙ୍କୁ ଜିଲା ର ଅନ୍ୟାନ୍ୟ ବ୍ଲକ୍ରେ ନିଯୁକ୍ତି ଦିଆଯାଇଛି।
ଏହି ଅବସରରେ ଆଜି ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ପଦୋନ୍ନତି ମେଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ।
ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ କମଳାକାନ୍ତ ପତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ କୁମାର ରାୟ, ସଚ୍ଚିଦାନନ୍ଦ ସେଠୀ ଓ ଜଗଦୀଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ପଦୋନ୍ନତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ନିଜର ନୂତନ ଦାୟିତ୍ୱ ଗ୍ରହଣ କରି ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି କରିବା ସହ ଅଞ୍ଚଳରେ ଶିକ୍ଷାର ବିକାଶ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କରାଯାଇଛି।