Categories: ଖେଳ

ଫିଫାକୁ ସମାଲୋଚନା କଲେ ବ୍ଲିଙ୍କେନ୍‌

ଦୋହା,୨୩।୧୧(ପି.ଟି.): ଓ୍ବାନ୍‌ ଲଭ୍‌ ଆର୍ମବ୍ୟାଣ୍ଡକୁ ନେଇ ଫିଫା ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ସମାଲୋଚନା କରିଛନ୍ତି ଆମେରିକୀୟ କୂଟନୀତିଜ୍ଞ ଆଣ୍ଟୋନୀ ବ୍ଲିଙ୍କେନ୍‌। ମାନବାଧିକାର ଓ ସମଲିଙ୍ଗୀଙ୍କ ସମର୍ଥନରେ ଓ୍ବାନ ଲଭ୍‌ ଆର୍ମବ୍ୟାଣ୍ଡ ପିନ୍ଧିବା ନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲେ ସମସ୍ତ ୟୁରୋପୀୟ ରାଷ୍ଟ୍ର। ଏହାକୁ କାତାର ପକ୍ଷରୁ ବିରୋଧ କରାଯିବା କାରଣରୁ ଆର୍ମ ବ୍ୟାଣ୍ଡ ନ ପିନ୍ଧିବାକୁ ଫିଫା ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଥିଲା। ଓ୍ବାନ ଲଭ୍‌ ଆର୍ମବ୍ୟାଣ୍ଡ ପିନ୍ଧିଲେ ଖେଳାଳିଙ୍କୁ ୟେଲୋ କାର୍ଡ ପ୍ରଦାନ କରାଯିବା ନେଇ ଫିଫା ପକ୍ଷରୁ ନିୟମ କରାଯାଇଥିଲା। ଫିଫାର ଏଭଳି ନିୟମକୁ କଡା ସମାଲୋଚନା କରିଛନ୍ତି ଆମେରିକୀୟ କୂଟନୀତିଜ୍ଞ ଆଣ୍ଟୋନୀ ବ୍ଲିଙ୍କେନ୍‌। ଫୁଟବଲ ପିଚ୍‌ରେ ଜଣେ କ’ଣ ପିନ୍ଧିବ କି ନାହିଁ ଏହା ସମ୍ପୂର୍ଣ୍ଣ ଭାବରେ ଇଚ୍ଛାଧୀନ ରହିବା ଉଚିତ। ତେବେ ସୋମବାରର ମ୍ୟାଚ ପୂର୍ବରୁ ହିଁ ଫିଫା ପକ୍ଷରୁ ୟେଲୋ କାର୍ଡ ନିୟମ ଲାଗୁ କରାଯାଇଥିଲା। ଏହା ସହିତ ଇରାନ ବିପକ୍ଷ ମ୍ୟାଚରେ ଇଂଲଣ୍ଡର ହ୍ୟାରୀ କେନଙ୍କୁ ଫିଫା ଅନୁମୋଦିତ ‘ନୋ ଡିସକ୍ରିମିନେସନ’ ଆର୍ମ ବ୍ୟାଣ୍ଡ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏହା ସହିତ ଶ୍ରମିକ ବିରୋଧୀ ନୀତି ଓ ସମଲିଙ୍ଗି ବିରୋଧୀ ଆପରାଧିକ ଆଇନକୁ ମଧ୍ୟ ସମାଲୋଚନା କରିଥିଲେ। ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ବିନା ବିଶ୍ୱକପ ଆୟୋଜନ ଅସମ୍ଭବ ଥିଲା। ମାତ୍ର କାତାରର ଶ୍ରମିକ ଆଇନ ଧୀରେ ଧୀରେ ସୁଧୁରୁଛି ବୋଲି ସେ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାତାରର ବୈଦେଶିକ ମନ୍ତ୍ରୀ ଶେଖ୍‌ ମହମ୍ମଦ ବିନ୍‌ ଅବଦୁଲ ରେହମାନ ମଧ୍ୟ ଉପସ୍ଥିତ ଥିଲେ। କାତାରକୁ ବଦନାମ କରିବା ପାଇଁ ଏହା କିଛି ବିଦେଶୀ ମିଡିଆର ସୁଚିନ୍ତିତ ଷଡଯନ୍ତ୍ର ବୋଲି ସେ କହିଛନ୍ତି।

Share