ଦୃଷ୍ଟି ବାଧିତ ଯାଁଳା ଭଉଣୀ, ଦୁନିଆ ଦେଖିବା ପାଇଁ ସହାୟତା ଲୋଡ଼ିଲେ ମାତାପିତା

ସୋରଡ଼ା,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ସଞ୍ଜୟ ଗୌଡ଼ଙ୍କ ଦୁଇ ଝିଅ ଦୃଷ୍ଟି ବାଧିତ (ଯାଁଳା ଭଉଣୀ) ଥିବା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଲମ୍ବୋଦର ଅଧିକାରୀଙ୍କଠାରୁ ଖବର ପାଇ ଶନିବାର ସ୍ଥାନୀୟ ଆଇଆଇସି ରମେଶ କୁମାର ଜେନା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅଜିତ କୁମାର ପାଣିଗ୍ରାହୀ ପ୍ରମୁଖ ପହଞ୍ଚି ୨ ଭଉଣୀଙ୍କୁ ପୋଷାକ,ଖେଳନା ଆଦି ଦେବା ସହ ମାତାପିତାଙ୍କ ସହ ଆଲୋଚନା କରିଛନ୍ତି ।

୨୦୧୯ରେ ସଞ୍ଜୟଙ୍କ ୨ ଯାଁଳା ଝିଅ ସୋନାଲି, ରୂପାଲି ଜନ୍ମ ହେଲା ପରେ ସେମାନେ ଦୃଷ୍ଟି ବାଧିତ ଥିବା ଜାଣିବାକୁ ପାଇଥିଲେ। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମଧ୍ୟ ଦେଖାଇଥିଲେ। ଏହା ପରେ ପୁଣି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଦେଖାଇ ଥିଲେ। କିନ୍ତୁ ଦିନ ମଜୁରିଆ ଭାବେ ମୂଲ ଲାଗି ପେଟ ପୋଷୁଥିବା ଉଭୟ ମା-ବାପା ଅର୍ଥ ଅଭାବ ଯୋଗୁ ଆଉ କୁଆଡ଼େ ଦେଖାଇବାକୁ ନେଇନାହାନ୍ତି। ୨ ଜଣ ଯାକ ଖୁବ୍‌ ଚଳଚଞ୍ଚଳ ଥିବା ବେଳେ ବୟସ ୩ ବର୍ଷ ପାଖାପାଖି ହେବ। ଏହି ୨ ଜଣଙ୍କ ଆଖିକୁ ଭଲ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ ଆରମ୍ଭ କରାଯାଇଛି। ଉଭୟଙ୍କ ଫଟୋ ଓ ତଥ୍ୟ ଉପରିସ୍ଥ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ ପଠାଯାଇଛି। ସହାୟତା ଯୋଗାଇ ଦେବାକୁ ମାତାପିତା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।