କାବୁଲରେ ପୁଣି ବିସ୍ଫୋରଣ

କାବୁଲ,୨୯।୮: ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଥିବାବେଳେ ରବିବାର କାବୁଲ ବିମାନବନ୍ଦର ନିକଟ ଖୱାଜା ବୁଗ୍‌ରା ଅଞ୍ଚଳରେ ରକେଟ ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଘରୁ ଧୂଆଁ ବାହାରୁ ଥିବା ଦେଖାଯାଇଛି। ସୂଚନାନୁସାରେ, ଏହି  ଆକ୍ରମଣ କାବୁଲ ବିମାନବନ୍ଦରର ଉତ୍ତର ଫାଟକ ନିକଟରେ ଘଟିଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ ବିସ୍ଫୋରଣ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। କିନ୍ତୁ ଏହି ଆତ୍ମଘାତୀ ଆକ୍ରମଣ ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିିଛି। ବିଶେଷ କଥା ହେଉଛି ରବିବାର ସକାଳେ ଆମେରିକା କାବୁଲ ବିମାନବନ୍ଦର ନିକଟରେ  ଆକ୍ରମଣ ବିଷୟରେ ଚେତାବନୀ ଦେଇଥିଲା ଏବଂ ବିମାନବନ୍ଦରର ଫାଟକ ବିଷୟରେ କହିଥିଲା ଏବଂ ଏବେ ଏହି ଆକ୍ରମଣ ବିମାନବନ୍ଦରର ସମାନ ଉତ୍ତର ଫାଟକ ନିକଟରେ ଘଟିଛି।
୩ ଦିନ ପୂର୍ବରୁ ମଧ୍ୟ କାବୁଲ ବିମାନବନ୍ଦର ନିକଟରେ ୨ଟି ବିସ୍ଫୋରଣ ହୋଇଥିଲା। ଏଥିରେ ୧୬୯ ଆଫଗାନିସ୍ତାନ ନାଗରିକ ଏବଂ ୧୩ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

Share