ନୂଆଦିଲ୍ଲୀ,୧୦।୧୧: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ମେଟ୍ରୋ ଷ୍ଟେସନ୍ର ଗେଟ୍ ନମ୍ବର ୧ ନିକଟରେ ଥିବା ଏକ କାର୍ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ଅତିକମ୍ରେ ୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଉଚ୍ଚ ସୁରକ୍ଷା ଅଞ୍ଚଳରେ ଏହି ଘଟଣା ଯୋଗୁଁ ବ୍ୟାପକ ଆତଙ୍କ ସୃଷ୍ଟି ହେବା ସହ ଦେଶବ୍ୟାପୀ ହାଇ ଆଲର୍ଟ ଜାରି କରାଯାଇଛି।
ସନ୍ଧ୍ୟା ପ୍ରାୟ ୬:୫୫ରେ ବିସ୍ଫୋରଣ ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ଅଗ୍ନିଶମ ବାହିନୀର ୭ଟି ଗାଡ଼ି ଏବଂ ୧୫ଟି CAT ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ବିସ୍ଫୋରଣ ଯୋଗୁଁ ନିକଟସ୍ଥ ୩ ରୁ ୪ ଟି ଗାଡ଼ିରେ ନିଆଁ ଲାଗିଯାଇଥିଲା, ଯାହାକୁ ପରେ ଲିଭାଇ ଦିଆଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟସ୍ଥ ଷ୍ଟ୍ରିଟ୍ ଲାଇଟ୍ ଭାଙ୍ଗିଯାଇଥିଲା ଏବଂ ପାର୍କିଂରେ ଥିବା ଅନ୍ୟ ଗାଡ଼ିଗୁଡ଼ିକର କାଚ ମଧ୍ୟ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ବ୍ୟାପକ ଭଙ୍ଗା କାଚ ପଡ଼ିଥିବାର ଦୃଶ୍ୟ ସାମ୍ନାକୁ ଆସିଛି।
#WATCH | A call was received regarding an explosion in a car near Gate No. 1 of the Red Fort Metro Station, after which three to four vehicles also caught fire and sustained damage. A total of 7 fire tenders have reached the spot. A team from the Delhi Police Special Cell has… pic.twitter.com/F7jbepnb4F
— ANI (@ANI) November 10, 2025
ରିପୋର୍ଟ ଅନୁଯାୟୀ ଏକାଧିକ ମୃତଦେହକୁ LNJP ହସ୍ପିଟାଲକୁ ଅଣାଯାଇଛି ଏବଂ ଆହତମାନଙ୍କର ଚିକିତ୍ସା ଚାଲିଛି। ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ର ବରିଷ୍ଠ ଅଧିକାରୀମାନେ ତଦନ୍ତର ତଦାରଖ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ବିସ୍ଫୋରଣର କାରଣ ଜଣାପଡିନଥିଲେ ମଧ୍ୟ, ଏହି ଘଟଣା ପୂର୍ବରୁ ପୋଲିସ୍ ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ୍ କରିଥିଲା। ଏହି ମଡ୍ୟୁଲ୍ ନିକଟରୁ ବିସ୍ଫୋରକ ପ୍ରସ୍ତୁତିରେ ବ୍ୟବହୃତ ୨,୯୦୦ କିଲୋଗ୍ରାମରୁ ଅଧିକ ଆମୋନିୟମ ନାଇଟ୍ରେଟ୍ ଜବତ ହୋଇଥିଲା ଏବଂ ସେମାନେ ଦିଲ୍ଲୀରେ ଶକ୍ତିଶାଳୀ IED ବ୍ୟବହାର କରି ଆତଙ୍କ ସୃଷ୍ଟି କରିବାକୁ ଯୋଜନା କରିଥିଲେ। ଏହି ବିସ୍ଫୋରଣ ଘଟଣା ଏବଂ ପୂର୍ବ ଷଡ଼ଯନ୍ତ୍ର ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ, ତାହା ଅନୁସନ୍ଧାନ କରାଯାଉଛି।

