ଇଶାନିନ୍ଦା ଆଇନ ପାଲଟିଛି ହିନ୍ଦୁଙ୍କ ଉପରେ ଅତ୍ୟାଚାରର ମାଧ୍ୟମ, ୨୦୨୧ରେ ୫୮୫ ଗିରଫ…

ଇସଲାମାବାଦ, ୨୪।୮ : ପାକିସ୍ତାନରେ ହିନ୍ଦୁ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର, ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ଏବଂ ହତ୍ୟା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଇଶା ନିନ୍ଦା ଆଇନ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାରର ସବୁଠାରୁ ବଡ ମାଧ୍ୟମ ଭାବରେ ଉଭା ହୋଇଛି। ନିକଟରେ ହାଇଦ୍ରାବାଦରେ ଏହା ସହ ଜଡିତ ଏକ ନକଲି ମାମଲାରେ ହିନ୍ଦୁ ସମ୍ପ୍ରଦାୟର ଅଶୋକ କୁମାର ଭିଡ଼ ହିଂସାର ସମ୍ମୁଖୀନ ହୋଇଥିଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ପାକିସ୍ତାନ ମାନବିକ ଅଧିକାର ଅନୁଯାୟୀ, କେବଳ ୨୦୨୧ ମସିହାରେ ସମଗ୍ର ଦେଶରେ ଇଶା ନିନ୍ଦା ଅଭିଯୋଗରେ ୫୮୫ ଜଣଙ୍କୁ ଗିରଫ କରାଯାଇଥିଲା। ଏଥି ସହିତ ଧାର୍ମିକ ଅହମ୍ମଦିଆ ସମ୍ପ୍ରଦାୟ ବିରୁଦ୍ଧରେ ୧୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ତିନିଜଣ ସଂଖ୍ୟାଲଘୁଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ହୋଇଛି। ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ମାମଲା ପଞ୍ଜାବ ପ୍ରଦେଶରେ ତିନି ଗୁଣା ବୃଦ୍ଧି ପାଇଛି।

୨୦୨୦ରେ ଏଭଳି ମାମଲା ୧୩ ଥିବାବେଳେ ୨୦୨୧ରେ ୩୬ ମାମଲା ରେକର୍ଡ କରାଯାଇଥିଲା। ଏହା ବ୍ୟତୀତ ଗତ ବର୍ଷ ସିନ୍ଧ୍‌ର ବିଭିନ୍ନ ଅଞ୍ଚଳରେ ଧର୍ମ ପରିବର୍ତ୍ତନ ମାମଲା ମଧ୍ୟ ରିପୋର୍ଟ ହୋଇଥିଲା। ଏଭଳି ମାମଲାରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଅଧିକ ଟାର୍ଗେଟ କରାଯାଉଛି।

ହିନ୍ଦୁ ଯୁବତୀମାନଙ୍କୁ ମୁସଲମାନ ଧର୍ମରେ ଧର୍ମାନ୍ତରଣ କରିବା ପାଇଁ ଅପହରଣ ଘଟଣା ବଢ଼ିବାରେ ଲାଗିଛି। ମାନବିକ ଅଧିକାର ବିଶେଷଜ୍ଞଙ୍କ ଅନୁଯାୟୀ, ପାକିସ୍ତାନରେ ମୁସଲମାନମାନଙ୍କ ଦ୍ୱାରା ହିନ୍ଦୁ ସମେତ ଅନ୍ୟ ସଂଖ୍ୟାଲଘୁ ପରିବାରଙ୍କ ଉପରେ ଅତ୍ୟାଚାର ଜାରି ରହିଛି।

ବିଶେଷ କରି ଗତ କିଛି ବର୍ଷ ମଧ୍ୟରେ ହିନ୍ଦୁ ଯୁବତୀମାନଙ୍କୁ ଅପହରଣ କରି ମୁସଲମାନ ଯୁବକମାନଙ୍କ ସହିତ ପ୍ରେମ ବିବାହରେ ପରିଣତ କରିବା ଘଟଣା ବଢ଼ିବାରେ ଲାଗିଛି ବୋଲି ପାକିସ୍ତାନ ମାନବିକ ଅଧିକାର କହିିଛି।

Share